Trending Photos
Odisha Bandh: ଭୁବନେଶ୍ୱର: ବାଲେଶ୍ୱର ଛାତ୍ରୀ ମୃତ୍ୟୁ ଘଟଣାରେ ଦୁଇ ଦିନ ଧରି ରାଜ୍ୟରେ ତୁମ୍ବିତୋଫାନ ଦେଖାଦେଇଛି। ରାଜନୀତି ବେଶ ଉଷ୍ମ ହୋଇଉଠିଛି। ସରକାରଙ୍କୁ ଘେରିବାକୁ ବିରୋଧି ଜୋରଦାର ଆନ୍ଦୋଳନ କରୁଛନ୍ତି। ଗତକାଲି ବୁଧବାର ବିଜୁ ଜନତା ଦଳ ବାଲେଶ୍ୱର ବନ୍ଦ ଡାକରା ଦେବା ସହିତ ଭୁବନେଶ୍ୱରରେ ଆନ୍ଦୋଳନ କରିଥିଲା। ଆଜି ସକାଳ ୬ଟାରୁ କଂଗ୍ରେସ ସହିତ ୮ଟି ରାଜନୈତିକ ଦଳ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି।
ଏଫଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ସକାଳ ୬ଟାରୁ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ। ଭୁବନେଶ୍ବରରୁ ଭୋଗରାଇ, କଟକରୁ କଳାହାଣ୍ଡି ରାଜ୍ୟବାପୀ ବନ୍ଦ ଡାକରା ଦେଇଛି କଂଗ୍ରେସ। ଏହି ବନ୍ଦ ଡାକରାକୁ ଜୋରଦାର କରିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସାରା ଓଡ଼ିଶାରେ ହେବ ଚକା ବନ୍ଦ । ଠପ୍ ହୋଇଯିବ ବ୍ୟବସାୟ । ଗାଡ଼ି ମଟର ବନ୍ଦ ହେବ ଓ ରାସ୍ତାରେ ସରକାର ବିରୋଧରେ ବର୍ଷିବେ କଂଗ୍ରେସ ନେତା ଓ କର୍ମୀ। ଏହି ପ୍ରସଙ୍ଗରେ ଗତକାଲି ବିଜୁ ଜନତା ଦଳ ବି ସରକାରଙ୍କୁ ଘେରିଥିଲା। ବାଲେଶ୍ୱର ସହର ହୋଇ ଯାଇଥିଲା ସିଲ୍। ନିଜର ପତିଆରା ଦେଖାଇବା ପାଇଁ ରାଜନେତା ବିକ୍ଷୋଭ ପ୍ରଦର୍ଶନ କଲେ। ପୋଲିସ ସହ ମୁହାଁମୁହିଁ ହେଲେ କିନ୍ତୁ ସାଧାରଣ ଲୋକ କିଭଳି ସମସ୍ୟା ଭୋଗୁଛି ତାହା ଉପରେ କାହାରି ନିଘା ନଥିଲା ।
ତେବେ ଏହି ବନ୍ଦ ପାଳନରୁ ଜରୁରୀ ସେବାକୁ ବାଦ ଦିଆଯାଇଛି। ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବା, ଆମ୍ବୁଲାନ୍ସ, ରୋଗୀଙ୍କ ଚିକିତ୍ସା ଆଦି ବାଦ ଦିଆଯିବ ବୋଲି ବନ୍ଦ ଡାକରା ଦେଇଥିବା ଦଳ ସ୍ପଷ୍ଟ କରିଛନ୍ତି । ଦିନିକିଆ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ । ବିଜେପି ସରକାରର କୁଶାସନ ବିରୋଧରେ ଏହି ବନ୍ଦ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଓଡ଼ିଶା ବନ୍ଦ ଲୋକଙ୍କର ହେଉ ବୋଲି ବିରୋଧୀମାନେ ଅପିଲ କରିଛନ୍ତି ।