Top 10 News: ୩ ବନ୍ଦେ ଭାରତ ଟ୍ରେନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଆସୁଛି ବଡ ବର୍ଷା ଓ ଅନ୍ୟ ଖବର
Advertisement
Article Detail0/zeeodisha/odisha2875294

Top 10 News: ୩ ବନ୍ଦେ ଭାରତ ଟ୍ରେନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଆସୁଛି ବଡ ବର୍ଷା ଓ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ୩ ବନ୍ଦେ ଭାରତ ଟ୍ରେନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ଆସୁଛି ବଡ ବର୍ଷା ଓ ଅନ୍ୟ ଖବର

Top 10 News Today

Headlines 01- ସୋମବାର ଆରବସାଗରରେ ଉଭୟ ଭାରତ ଓ ପାକିସ୍ତାନର ସମରାଭ୍ୟାସ ହେବାକୁ ଯାଉଛି । ଉଭୟ ଦେଶର ନୌସେନା ପକ୍ଷରୁ ସମରାଭ୍ୟାସ ନେଇ ସୂଚନା ଜାରି କରାଯାଇଛି । ୧୧ ଓ ୧୨ ଅଗଷ୍ଟରେ ଭାରତୀୟ ନୌସେନା ସମରାଭ୍ୟାସ କରିବ । ପାକିସ୍ତାନ ପକ୍ଷରୁ ମଧ୍ୟ ନିଜ ସୀମାରେ ଅଭ୍ୟାସ ନେଇ NOTAM ଜାରି କରିଛି । ‘ଅପରେସନ ସିନ୍ଦୂର’ରେ ଦୁଇ ଦେଶ ମୁହାଁମୁହିଁ ହେବା ପରେ ପ୍ରଥମ ସମରାଭ୍ୟାସ ହେବାକୁ ଯାଉଛି ।

Headlines 02- କଣ୍ଟିନେଣ୍ଟାଲ ୱାର୍ଲ୍ଡ ଟୁର୍ ବ୍ରୋଞ୍ଜ୍‌ରେ ଓଡ଼ିଶାର ପ୍ରଜ୍ଞା ପ୍ର଼ଶାନ୍ତି ସାହୁ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ୧୦୦ ମିଟର ହର୍ଡଲ୍ସରେ ୧୩.୭୪ ସେକେଣ୍ଡର ଟାଇମିଂ ସହ ପ୍ରଜ୍ଞା ପ୍ରଥମ ହୋଇଛନ୍ତି । ପୁରୁଷ ୧୦୦ ମିଟରରେ ଲାଲୁ ଭୋଇ ୧୦.୫୪ ସେକେଣ୍ଡ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ମହିଳା ୧୦୦ ମିଟରରେ ୧୧.୮୬ ସେକେଣ୍ଡ ସହ ଶ୍ରାବଣୀ ନନ୍ଦ ପଞ୍ଚମ ସ୍ଥାନରେ ରହିଛନ୍ତି । ସୂଚନାଯୋଗ୍ୟ, ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ପ୍ରାୟ ୧୭ ଦେଶର ୧୬୦ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ୧୮ଟି ଇଭେଣ୍ଟରେ ଅନେକ ପ୍ରକାର ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।

Headlines 03- ଚନ୍ଦ୍ରଭାଗା ସମୁଦ୍ରରେ ଆଜି ପୃଥକ ସ୍ଥାନରେ ବୁଡ଼ିଯାଇ ୩ ଯୁବକଙ୍କ ମୃତ୍ୟୁ ହୋଇଛି । ଚନ୍ଦ୍ରଭାଗା ଇକୋରିଟ୍ରିଟ୍ ନିକଟରେ ବୁଡ଼ି ୨ ଯୁବକ ମୃତ୍ୟୁ ହୋଇଥିବା ସମୟରେ ଆଉ କିଛି ଦୂରରେ ବୁଡ଼ି ଅନ୍ୟ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି । ଇକୋରିଟ୍ରିଟ୍ ନିକଟରେ ମୃତ ୨ ଯୁବକ ଭୁବନେଶ୍ବରର ହୋଇଥିବା ସମୟରେ ଅନ୍ୟ ମୃତ ଯୁବକ ପାହାଳ ଅଞ୍ଚଳର ହୋଇଥିବା ସୂଚନା ମିଳିଛି । ସାଙ୍ଗମାନଙ୍କ ସହ ସମୁଦ୍ରରେ ଗାଧୋଉଥିବା ବେଳେ ଜୁଆର ଟାଣି ନେଇଥିଲା । ଉଦ୍ଧାରକାରୀ ଦଳ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ମୃତ ୩ ଯୁବକଙ୍କ ପରିବାର ଲୋକେ ଏ ନେଇ ସୂଚନା ପାଇବା ପରେ ଶୋକର ଲହରୀ ଖେଳିଯାଇଛି ।

Headlines 04- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ କରିଛନ୍ତି ଏବଂ ଏହି ଅବସରରେ ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଈକୋନୋମିକ କରିଡୋର ୬ ଲେନ ବିଶିଷ୍ଟ ରାସ୍ତା ଖୁବ ଶୀଘ୍ର ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥି ସହିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆବଶ୍ୟକ ଥିବା ସମସ୍ତ ଖାଲି ପଡ଼ିଥିବା ସ୍ୱାସ୍ଥ୍ୟ ସେବା ପଦବୀ ପୂରଣ ହେବ ବୋଲି ମଧ୍ଯ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Headlines 05- ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ ବୋମାମାଡ଼ ହୋଇଛି । ବୋମାମାଡ଼ରେ ୪ଟି ଦାମୀ ବାଇକ୍‌ ଜଳି ଛାରଖାର ହୋଇଯାଇଥିବା ସୂଚନା ମିଳିଛି । ଜମିଜମା ବିବାଦକୁ କେନ୍ଦ୍ରକରି ବୋମାମାଡ଼ ହୋଇଥିବା ଅଭିଯୋଗ ଆସିବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଭରତପୁର ଥାନା ପୋଲିସ ।

Headlines 06- ପଟ୍ଟାମୁଣ୍ଡାଇ କାଠିଆପଡ଼ା ଯୁବତୀ ମୃତ୍ୟୁ ଘଟଣାରେ ଗଣମାଧ୍ୟମକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ରାପଡ଼ା ଏସପି । ପ୍ରତିକ୍ରିୟାରେ ଏସପି କହିଛନ୍ତି ଯେ, ପ୍ରାଥମିକ ପ୍ରମାଣ ଆଧାରରେ ପ୍ରମୋଦ ବେହେରାଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ପ୍ରମୋଦ ମୋବାଇଲ୍‌ରେ ୬୦ ଅଶ୍ଲୀଳ ଭିଡିଓ ଥିବାର ପ୍ରମାଣ ମିଳିଛି । ସୂଚନା ଅନୁଯାୟୀ, ଜୁଲାଇ ୧୭ରେ ପୀଡ଼ିତାର ବାପାଙ୍କ ପାଖକୁ ଗୋଟିଏ ଅଶ୍ଳୀଳ ଭିଡିଓ ପଠାଇଥିଲା ଅଭିଯୁକ୍ତ । ସେହି ସମାନ ଦିନ ଆଉ ୪ରୁ ୫ ଜଣଙ୍କ ପାଖକୁ ମଧ୍ୟ ଭିଡିଓ ପଠାଇଥିଲା । ଘଟଣା ଦିନ ସକାଳ ୭ଟା ୩୪ ମିନିଟ୍ ସମୟରେ ଯୁବତୀଙ୍କ ମୋବାଇଲକୁ କଲ୍‌ କରିଥିଲା । ପୋଲିସ ଉଭୟ ଅଭିଯୁକ୍ତ ଓ ପୀଡ଼ିତା ବାପାଙ୍କ ମୋବାଇଲ୍‌ ସିଜ୍‌ କରି ସାରିଛି । ବର୍ତ୍ତମାନ ସୁଦ୍ଧା କେବଳ ଅଭିଯୁକ୍ତ ପ୍ରମୋଦ ତଦନ୍ତ ପରିସରଭୁକ୍ତ ଅଛନ୍ତି । ଅଭିଯୁକ୍ତ ପ୍ରମୋଦଙ୍କ ନାଁରେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବାର ଦଫା ଲାଗିଛି । 

Headlines 07- ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଏସ୍ଆର୍ ରେଲୱେ ଷ୍ଟେସନଠାରେ ତିନୋଟି ବନ୍ଦେ ଭାରତ ଟ୍ରେନର ଉଦଘାଟନ କରିଛନ୍ତି । ଏଥିସହ ବେଙ୍ଗାଲୁରୁ ମେଟ୍ରୋ ୟେଲୋ ଲାଇନର ଲୋକାର୍ପଣ କରିଛନ୍ତି।

Headlines 08- ପୁଣି ଥରେ ଉଠିଛି ବ୍ରହ୍ମପୁରର ବହୁଚର୍ଚ୍ଚିତ ଦୀପିକା-ଦିନେଶ ବିବାଦ ପ୍ରସଙ୍ଗ। ବର୍ତ୍ତମାନ ଉକ୍ତ ଘଟଣାରେ ଆସିଛି ନୂଆ ଟ୍ବିଷ୍ଟ। ଦିନେଶଙ୍କ ବିରୋଧରେ ପୁଣି ଥରେ ଫେରାଦ ହୋଇଛନ୍ତି ଦୀପିକା। ଦୀନେଶ ପୁଣି ବିବାହ କରିଥିବା ଦୀପିକା ଅଭିଯୋଗ କରିଛନ୍ତି। ଏଥିସହ ନ୍ୟାୟ ବ୍ୟବସ୍ଥା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି । 

Headlines 09- ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ବିଜେଡି ପକ୍ଷରୁ ସୋମବାର ୧୨ ଘଣ୍ଟିଆ ରାଇଘର ବ୍ଲକ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ ଯାଏଁ ବିଜେଡି ବନ୍ଦ ପାଳନ କରିବ । ପୀଡ଼ିତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ବିଜେଡି ସଭାପତି ମନୋହର ରନ୍ଧାରୀ ।

Headlines 10- ଲଘୁଚାପ ପ୍ରଭାବରେ ୧୨ ରୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ୧୧ ଅଗଷ୍ଟରୁ ୧୨ ଅଗଷ୍ଟ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ୱଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ବୌଦ୍ଧ, ନୂଆପଡା, ବଲାଙ୍ଗିର, କନ୍ଧମାଳ, ନବରଙ୍ଗପୁର, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏସବୁ ସ୍ଥାନରେ ଝଟକା ପବନ ସହ ବଜ୍ରପାତର ସମ୍ଭାବନା ରହିଛି ।

;