ଭୁବନେଶ୍ୱର: ହିନ୍ଦୁ ପଞ୍ଜିକା ଅନୁସାରେ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳିତ ହୁଏ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ ।ଏହି ପର୍ବ ରକ୍ଷା ପ୍ରଦାନ କରୁଥିବା ଏକ ଅନାବିଳ ବନ୍ଧନର ପ୍ରତୀକ । ସମ୍ପର୍କର ରଜ୍ଜୁକୁ ସୁଦୃଢ଼ କରିବାର ପର୍ବ । ଆଜି ଏହି ପର୍ବ ଭାଇ ଭଉଣୀ ମଧ୍ୟରେ ସୀମିତ ହୋଇ ରହିଯାଇଛି, କିନ୍ତୁପୂର୍ବରୁ ଏପରି ନ ଥିଲା ।
Trending Photos
Raksha Bandhan: ଭୁବନେଶ୍ୱର (ଶ୍ରୀଶ୍ରୀ ରବିଶଙ୍କର): ହିନ୍ଦୁ ପଞ୍ଜିକା ଅନୁସାରେ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳିତ ହୁଏ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ ।ଏହି ପର୍ବ ରକ୍ଷା ପ୍ରଦାନ କରୁଥିବା ଏକ ଅନାବିଳ ବନ୍ଧନର ପ୍ରତୀକ । ସମ୍ପର୍କର ରଜ୍ଜୁକୁ ସୁଦୃଢ଼ କରିବାର ପର୍ବ । ଆଜି ଏହି ପର୍ବ ଭାଇ ଭଉଣୀ ମଧ୍ୟରେ ସୀମିତ ହୋଇ ରହିଯାଇଛି, କିନ୍ତୁପୂର୍ବରୁ ଏପରି ନ ଥିଲା । ଏହାର ପରିସର ଥିଲା ବ୍ୟାପକ । ପୁରୁଷ କିମ୍ବା ମହିଳା ନିର୍ବିଶେଷରେ ଯେକୌଣସି ବ୍ୟକ୍ତିପରିବାରର ସମସ୍ତଙ୍କୁ ରାକ୍ଷୀ ବାନ୍ଧି ପାରୁଥିଲେ । ସିଏ ପତ୍ନୀ ହୁଅନ୍ତୁ ଅବା କନ୍ୟା କିମ୍ବା ମାତା ସମସ୍ତେ ପିତା, କିମ୍ବା ଭାଇ ଅଥବା ସ୍ୱାମୀଙ୍କୁ ମଧ୍ୟ ସମ୍ପର୍କର ସୂତା ଖିଅରେ ଯୋଡୁଥିବା ଏହି ପବିତ୍ର ରକ୍ଷା ସୂତ୍ରରେ ଯୋଡୁଥିଲେ । ନିଜେ ମଧ୍ୟ ନକାରାତ୍ମକତାଠାରୁ ଦୂରେଇ ରହିବାକୁ ରକ୍ଷା ସୂତ୍ର ଧାରଣ କରୁଥିଲେ । ବର୍ତ୍ତମାନ ଭଉଣୀମାନେ ନିଜ ଭାଇମାନଙ୍କର କୁଶଳତା ଏବଂ ସୁରକ୍ଷା ନିମନ୍ତେ ରାକ୍ଷୀ ବାନ୍ଧୁଛନ୍ତି ।
ଲୋକଙ୍କ ମଧ୍ୟରେ ଏକ ଧାରଣା ନିହିତ ରହିଛି ଯେ, ପୁରୁଷମାନେ ହିଁ ଅଧିକ ଶକ୍ତିଶାଳୀ ହୋଇଥା’ନ୍ତି । ସ୍ତ୍ରୀ ମାନଙ୍କୁ ସଦାସର୍ବଦା ଅବଳା, ଦୁର୍ବଳା କିମ୍ବା ଅସହାୟ ବୋଲି ଚିତ୍ରଣ କରାଯାଇଥାଏ । ଏପରିକି ସମାଜରେ ସମସ୍ତଙ୍କ ମନରେ ଏହିଭଳି ଏକ ଭ୍ରାନ୍ତ ଧାରଣା କେଉଁ କାଳରୁ ପୋଷଣ ହୋଇ ରହିଛି ମଧ୍ୟ ।ତେବେ ଏହି ଧାରଣାକୁ ଭାଙ୍ଗିବାକୁ ପଡ଼ିବ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସ୍ତ୍ରୀମାନେ ନିଜେ ହେଉଛନ୍ତି ସ୍ୱୟଂ ଶକ୍ତି ସ୍ୱରୁପିଣୀ ଏବଂ ସେମାନେ ନିଜେ ନିଜର ରକ୍ଷା କରିବାକୁ ବେଶ୍ ସକ୍ଷମ । କେବଳ ଶାରୀରିକ ଶକ୍ତିସମ୍ପନ୍ନ ପୁରୁଷଟିଏ ହିଁ ଯେ କେବଳ ସୁରକ୍ଷା ଦେବାରେ ସମର୍ଥ, ଏପରି ନୁହେଁ । ନାରୀ ମଧ୍ୟ ନିଜ ମନୋବଳ ସାହାଯ୍ୟରେ ପରିବାରକୁ ସୁରକ୍ଷା ଦେଇପାରେ । ତେବେ ସେଥିପାଇଁ ଯାହା ଆବଶ୍ୟକ, ତାହା ହେଉଛି ଦୃଢ଼ ଆତ୍ମପ୍ରତ୍ୟୟ । ଅଟଳ ଆତ୍ମବିଶ୍ୱାସ । ନାରୀ ନିଜ ଆତ୍ମବଳ, ସଂକଳ୍ପ ଓ ଭାବନାତ୍ମକ ଗଭୀରତା ସହ ସମସ୍ତ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇପାରେ । ନାରୀଟିଏ ମଧ୍ୟ ନିଜ ମନଶ୍ଚକ୍ଷୁରେ ତା’ ଭିତରେ ଅନ୍ତର୍ନିହିତ ଥିବା ସୂକ୍ଷ୍ମ ତେଜ ଏବଂ ଓଜ ସାହାଯ୍ୟରେ ବେଶ୍ ବଳଶାଳିନୀ ହୋଇଥାଏ । କାରଣ ଯିଏ ସୂକ୍ଷ୍ମ, ସିଏ ହିଁ ତ ଅମିତ ବିକ୍ରମଶାଳିନୀ ।
ଇଚ୍ଛା ଶକ୍ତି, କ୍ରିୟା ଶକ୍ତି ଏବଂ ଜ୍ଞାନ ଶକ୍ତି ଏ ତିନିଜଣ ହିଁ ଦେବୀ ପଦବାଚ୍ୟ । ଧନର ଦେବୀ ଲକ୍ଷ୍ମୀ, ବିଦ୍ୟାର ଅଧିଷ୍ଠାତ୍ରୀ ସରସ୍ବତୀ ଏବଂଶକ୍ତି ସ୍ୱରୁପିଣୀ ହେଉଛନ୍ତି ଦେବୀ ଦୁର୍ଗା । ସ୍ତ୍ରୀକୁ ଶକ୍ତି ବୋଲି ମନେକରାଯାଏ । ତାମିଲରେ ଗୋଟିଏ ଆପ୍ତବାକ୍ୟ ଅଛି, “ଯଦି ଶକ୍ତି ନାହିଁ ତା ହେଲେ ଶିବ ମଧ୍ୟ ଶବ ତୁଲ୍ୟ ।” ଶକ୍ତି ଯୋଗୁଁ ହିଁ ଶିବଙ୍କ ଅସ୍ତିତ୍ୱ । ଭାରତରେ ପ୍ରାଚୀନ କାଳରୁ ନାରୀମାନଙ୍କୁ ହିଁ ଶକ୍ତିର ଆସନ ଦେଇ ସମ୍ମାନିତ କରାଯାଇ ଆସୁଛି । ତେଣୁ ଭାରତୀୟ ସଂସ୍କୃତି କେବେହେଲେ ନାରୀକୁ ଅବଳା କିମ୍ବା ଦୁର୍ବଳା ମନେକରେ ନାହିଁ ।ଏହି ଦୃଢ଼ ସଂକଳ୍ପ ଏବଂ ପବିତ୍ର ଭାବନାରେ ସ୍ତ୍ରୀ ନିଜ ଭାଇ, ଭଉଣୀ ଜ୍ୟେଷ୍ଠ, କନିଷ୍ଠଙ୍କଠାରୁ ନେଇ ସମାଜ ପର୍ଯ୍ୟନ୍ତ, ସମସ୍ତଙ୍କରସୁରକ୍ଷା କରନ୍ତି । ରାଷୀ ପୂର୍ଣ୍ଣିମାରେ ସିଏ ରାକ୍ଷୀ ବାନ୍ଧିବା ସହ ଆଶୀର୍ବାଦ ଏବଂ ସୁରକ୍ଷାର ଭରସା ଦେଇଥା’ନ୍ତି । ଏହି ବନ୍ଧନ ପାଲଟିଯାଏସୁରକ୍ଷା ଏବଂ ବିଶ୍ୱାସର ପ୍ରତୀକ । ତେଣୁ ନାରୀଜାତି କେବେହେଲେ ନିଜକୁ ଅସହାୟ କିମ୍ବା ଦୁର୍ବଳ ବୋଲି ଭାବିବା ଉଚିତ ନୁହେଁ । ସେମାନଙ୍କ ଭିତରେ ଏକ ଦିବ୍ୟ ଶକ୍ତି ନିହିତ ରହିଛି, ଯେଉଁଥିପାଇଁ ସେମାନେ କେବଳ ନିଜର ନୁହେଁ ଅନ୍ୟମାନଙ୍କୁ ମଧ୍ୟ ରକ୍ଷା କରିବାର ସମ୍ପୂର୍ଣ୍ଣ କ୍ଷମତା ରହିଛି ।
ଗୋଟିଏ ଦଉଡ଼ି ବା ରଶିସ୍ଥଳବିଶେଷରେ ଯେଉଁଭଳି ଆମମାନଙ୍କୁ ସୁରକ୍ଷା ମଧ୍ୟ ଦିଏ ଏବଂ ଆବଶ୍ୟକ ପଡ଼ିଲେ ବାନ୍ଧି ବି ପାରେ, ସେହିପରି ସଂସାରର ମୋହମାୟାରେ ବୁଡ଼ି ରହିଥିବା ଛୋଟ ଏକ ମନ ଆପଣଙ୍କୁ ବାନ୍ଧି ଦେଇପାରେ । ମାତ୍ର ଯେତେବେଳେ ଆପଣଙ୍କ ବନ୍ଧନ ଜ୍ଞାନ ସହ ହୁଏ, ଗୁରୁଙ୍କ ସହ ହୁଏ, ସତ୍ୟ ଏବଂ ଆତ୍ମବିଶ୍ୱାସ ସହିତ ହୁଏ, ସେତେବେଳେ ସେହି ବନ୍ଧନ ପାଲଟିଯାଏ ମୁକ୍ତିର ଦ୍ୱାର ।
ଆମେ ଏପରି ଏକ ଯୁଗରେ ଜିଉଁଛୁ, ଯେଉଁଠାରେ ସମାଜ ଏବଂ ପରିବାର ମଧ୍ୟରେ ମତଭେଦ, ଚାପ ଓ ଅସହମତି ଏକ ସାଧାରଣ କଥା ପାଲଟିଛି । ଏଭଳି ସ୍ଥିତିରେ ଅସୁରକ୍ଷା ଏବଂ ଭୟର ଜନ୍ମ ହୁଏ । ଯେଉଁଠି ପରିବାରର ସଦସ୍ୟମାନେ ହିଁ ପରସ୍ପର ପ୍ରତି ଛଳକପଟ ଓ ଭୟ ମଧ୍ୟରେ ଜିଉଁଥିବେ, ସେଠାରେ ଶାନ୍ତି କିଭଳି ସମ୍ଭବ ? ଯେତେବେଳେ ସମାଜ ଅବିଶ୍ୱାସ ଏବଂ ଭୟଗ୍ରସ୍ତ ହୋଇପଡ଼େ, ସେତେବେଳେ ସମରସତା ଏବଂ ସୁଖଦ ଜୀବନ ଦୁର୍ଲ୍ଲଭ ହୋଇପଡ଼େ । ସେଥିପାଇଁ ବର୍ତ୍ତମାନ ସମୟରେ ଆମେମାନେ ପୁଣିଥରେ ନିଜ ନିଜ ସମ୍ପର୍କକୁ ରିଚାର୍ଜ କରିବା ଆବଶ୍ୟକ । ସେଥିରେ ନୂତନତ୍ୱ ଆଣିବା ଜରୁରୀ । ଆପଣାପଣ ସାଙ୍ଗକୁ ବିଶ୍ୱସନୀୟ ପ୍ରତିବଦ୍ଧତା ଆଣିବା ଆବଶ୍ୟକ । ଯେତେବେଳେ ଅପର ପ୍ରତି ଆମ ମନରେ ଏହି ପ୍ରତ୍ୟୟ ଜାତ ହେବ, “ମୁଁ ତୁମ ସାଥିରେ ଅଛି”, ସେତିକିବେଳେ ହିଁ ପରିବାର ଓ ସମାଜ ସଶକ୍ତ ହେବ । ସମାଜ ପ୍ରତି ରାକ୍ଷୀ ପୂର୍ଣ୍ଣିମା ଉତ୍ସବର ଏହା ହିଁ ତ ପ୍ରକୃତ ବାର୍ତ୍ତା ! ଅବିଶ୍ୱାସ ଓ ମନୋମାଳିନ୍ୟକୁ ଦୂରେଇ ଭରସା ଓ ବିଶ୍ୱାସର ରାକ୍ଷୀ ବାନ୍ଧିବାର ବାର୍ତ୍ତା !!