Top 10 News: ପଟ୍ଟାମୁଣ୍ଡାଇ ଘଟଣାରେ ପୁରୁଷ ବନ୍ଧୁ ଗିରଫ, ଖୋଲିଲା ରେଙ୍ଗାଲି ଡ୍ୟାମ୍ ଓ ଅନ୍ୟ ଖବର
Advertisement
Article Detail0/zeeodisha/odisha2874941

Top 10 News: ପଟ୍ଟାମୁଣ୍ଡାଇ ଘଟଣାରେ ପୁରୁଷ ବନ୍ଧୁ ଗିରଫ, ଖୋଲିଲା ରେଙ୍ଗାଲି ଡ୍ୟାମ୍ ଓ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ପଟ୍ଟାମୁଣ୍ଡାଇ ଘଟଣାରେ ପୁରୁଷ ବନ୍ଧୁ ଗିରଫ, ଖୋଲିଲା ରେଙ୍ଗାଲି ଡ୍ୟାମ୍ ଓ ଅନ୍ୟ ଖବର

Top 10 News Today

Headlines 01- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ କରିଛନ୍ତି ଏବଂ ଏହି ଅବସରରେ ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଈକୋନୋମିକ କରିଡୋର ୬ ଲେନ ବିଶିଷ୍ଟ ରାସ୍ତା ଖୁବ ଶୀଘ୍ର ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏଥି ସହିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଆବଶ୍ୟକ ଥିବା ସମସ୍ତ ଖାଲି ପଡ଼ିଥିବା ସ୍ୱାସ୍ଥ୍ୟ ସେବା ପଦବୀ ପୂରଣ ହେବ ବୋଲି ମଧ୍ଯ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

Headlines 02- ପଟ୍ଟାମୁଣ୍ଡାଇ ଯୁବତୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଗିରଫ କରିଛି ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୋଲିସ୍ । ଗିରଫ ନେଇ କେନ୍ଦ୍ରାପଡ଼ା ଏସ୍‌ପି ସୂଚନା ଦେଇ କହିଛନ୍ତି ଯେ, ମୃତ ଯୁବତୀଙ୍କ ଅଶ୍ଳୀଳ ଫଟୋ ପ୍ରମୋଦଙ୍କ ମୋବାଇଲରୁ ମିଳିଛି ଏବଂ ଘଟଣାର କିଛି ସମୟ ପୂର୍ବରୁ ଯୁବତୀଙ୍କ ସହ ସେ କଥା ହୋଇଥିଲେ । ଜୁଲାଇ ୧୭ରେ ଅଶ୍ଳୀଳ ଭିଡିଓ ଯୁବତୀଙ୍କ ବାପାଙ୍କ ପାଖକୁ ପଠାଇଥିଲେ ଆଉ ୨ ଜଣଙ୍କ ମୋବାଇଲକୁ ମଧ୍ୟ ଭାଇରାଲ୍ ଉଦ୍ଦେଶ୍ୟରେ ପଠାଯାଇଥିଲା । କାଠିଆପଡ଼ାରେ ଲାଗିଥିବା ସିସିଟିଭିରୁ ଆଉ କିଛି ତଥ୍ୟ ହସ୍ତଗତ ହୋଇଛି । ମୃତ ଯୁବତୀଙ୍କ ବାପା ଘରୁ ଯିବା ଓ ଫେରିବାର ଦୃଶ୍ୟ ହସ୍ତଗତ ହୋଇଛି । ସେହିଦିନ ୧୧ଟା ୪୦ ବେଳେ ଗାଁ ଲୋକଙ୍କ ଧାଁ ଦୌଡ଼ ଦୃଶ୍ୟ ସାମ୍ନାକୁ ଆସିଛି ।

Headlines 03- ପ୍ରମୋଦ ବେହେରାଙ୍କୁ ପୋଲିସ ଗିରଫ କରିବା ପରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଆଗରେ ଶତାଧିକ ଲୋକଙ୍କ ଧାରଣା । କାଠିଆପଡ଼ା ପୀଡ଼ିତାଙ୍କ ପୁରୁଷ ବନ୍ଧୁ ପରିବାର ଲୋକ ଧାରଣା ଦେଇଛନ୍ତି । ଅଭିଯୁକ୍ତ ପ୍ରମୋଦ ବେହେରାଙ୍କ ବାପା ଆତ୍ମାହୁତି ଧମକ ଦେଇଛନ୍ତି । ପ୍ରତିଷେଧକ ବ୍ୟବସ୍ଥା ପାଇଁ ଅଗ୍ନିଶମ ବାହିନୀ ଗାଡ଼ି ସହ ପହଞ୍ଚିଛନ୍ତି । କିଛି ଅଘଟଣ ଏଡ଼ାଇବାକୁ ପୋଲିସ ଓ ଅଗ୍ନିଶମ ବାହିନୀ ସଜାଗ ରହିଛନ୍ତି । ପ୍ରମୋଦ ବେହେରାଙ୍କ ବାପା କହିଛନ୍ତି ଯେ, 'ମୋ ପୁଅ ପ୍ରତି ଅନ୍ୟାୟ ହୋଇଛି, ଏବେ ରାଜନୀତି ହେଉଛି', 'ମୁଁ ଗରିବ ବୋଲି ନ୍ୟାୟ ପାଉନି, ବାଧ୍ୟ ହୋଇ ଆତ୍ମହତ୍ୟା କରିବି' ।

Headlines 04- ବଳଙ୍ଗାରେ କଂଗ୍ରେସର ‘ନାରୀ ନ୍ୟାୟ’ ପଦଯାତ୍ରା । ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇଛନ୍ତି । ବାୟାବାର ଗାଁରୁ ଆରମ୍ଭ ହୋଇଥିବା ପଦଯାତ୍ରା ନିମାପଡ଼ା ପର୍ଯ୍ୟନ୍ତ ଚାଲିଥିଲା । ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣାରେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ା ଯାଉଥିବା ଅଭିଯୋଗ କରିଛି କଂଗ୍ରେସ ।

Headlines 05- ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ୧୮ଟି ଇଭେଣ୍ଟରେ ଭାଗ ନେଇଛନ୍ତି ୧୭ ଦେଶର ୧୬୦ ପ୍ରତିଯୋଗୀ । ବିଶ୍ବସ୍ତରୀୟ କ୍ରୀଡା ମହାକୁମ୍ଭରେ ଯୋଗ ଦେବାକୁ ଓଡ଼ିଶାରେ ଦେଶ ବିଦେଶର ଖେଳାଳି ପହଞ୍ଚିଥିଲେ । ୧୦୦ ମିଟର ପୁରୁଷ ବର୍ଗ ଫାଇନାଲ୍‌କୁ ଗଲେ ଲାଲୁ ଭୋଇ ସେହିପରି ୨୦୦ ମିଟର ପୁରୁଷ ବର୍ଗ ଫାଇନାଲରେ ଅନିମେଶ୍ କୁଜୁର୍ ଏବଂ ମହିଳା ୧୦୦ ମିଟର ବର୍ଗ ଫାଇନାଲ୍‌ରେ ପହଞ୍ଚିଛନ୍ତି ଶ୍ରାବଣୀ ନନ୍ଦ ।

Headlines 06- ପାତ୍ରପଡ଼ା V2 ପାଖରେ ଦୁର୍ଘଟଣା ଘଟାଇଥିବା ଥର୍‌ ଧରାପଡ଼ିଛି । CCTV ଆଧାରରେ ଜଟଣୀ ଅଂଚଳରୁ ଥର୍ ଜବତ କରିଛି ଖଣ୍ଡଗିରି ଥାନା ପୋଲିସ୍ । ଜଟଣୀ ଥାନା ନିକଟରେ ଥର୍‌ ରଖି ଫେରାର୍ ହୋଇଯାଇଥିଲେ ଡ୍ରାଇଭର୍ । ଗତକାଲି ଝିଅ, ମାଆ ଓ ପୁଅକୁ ଧକ୍କା ଦେଇ ଥର୍ ଫେରାର୍ ହୋଇଯାଇଥିଲା । ଅନ୍ୟପଟେ ପାତ୍ରପଡ଼ାରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ଫୁଲେଶ୍ୱରୀ ବସ୍ତିର ଲୋକେ । ଫୁଟ୍‌ ଓଭର୍ ବ୍ରିଜ୍‌ ନିର୍ମାଣ ଦାବିରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିବା ଫଳରେ ଅଟକିଛି ଶହ ଶହ ଗାଡ଼ି ।

Headlines 07- ଦ୍ୱିତୀୟ ଥର ପାଇଁ ଖୋଲିଛି ରେଙ୍ଗାଲି ଡ୍ୟାମ୍ । ୮ ନମ୍ୱର ଗେଟ୍ ଦେଇ ଡ୍ୟାମ୍‌ରୁ ବନ୍ୟା ଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ରେଙ୍ଗାଲି ଡ୍ୟାମ୍ ଖୋଲାଯାଇଛି । ଫଳରେ ବ୍ରାହ୍ମଣୀ ଏବଂ ଖରସ୍ରୋତାର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା କରାଯାଉଛି ।

Headlines 08- ସମ୍ବଲପୁର ଚାଉଁରପୁର ମହାନଦୀ ବ୍ରିଜ୍‌ ଉପରୁ ଡେଇଁପଡ଼ିଲେ ଜଣେ ମହିଳା । ଖବର ପାଇ ଅଗ୍ନିଶମବାହିନୀ ଟିମ୍ ଖୋଜାଖୋଜି କରି ମହିଳାଙ୍କୁ ଉଦ୍ଧାର କରିଥିଲା । ତାଙ୍କୁ ବର୍ତ୍ତମାନ ମେଡିକାଲରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ପରିଚୟ ମିଳିନଥିବା ସମୟରେ ସେ କେଉଁ କାରଣ ପାଇଁ ଡେଇଁଲେ ସେନେଇ ତଦନ୍ତ ଆରମ୍ଭ ହୋଇଛି ।

Headlines 09- ଉଦଳା ବଜାର ନିକଟରୁ ବାପା, ମାଆଙ୍କ ସାମ୍ନାରେ ଝିଅକୁ ଅପହରଣ କରାଯାଇଥିବା ଅଭିଯୋଗ ଆସିଛି । ୪ରୁ ୫ଜଣ  ମୁଖାପିନ୍ଧା ଦୁର୍ବୃତ୍ତଙ୍କ ସମୃକ୍ତି ରହିଥିବା ଜଣାପଡିଛି । ବାପା ମା’ ବିରୋଧ କରିବାରୁ ହତ୍ୟା ଧମକ ଦେଇ ଝିଅକୁ ଛଡ଼ାଇ ନେଇଛନ୍ତି । କପ୍ତିପଦା ଥାନାରେ ଝିଅ ଅପହରଣ ନେଇ ବାପା ମା’ଏତଲା ଦେଇଛନ୍ତି । ଆଜିକୁ ୩ ଦିନ ବିତିଥିଲେ ମଧ୍ୟ କପ୍ତିପଦା ପୋଲିସ ହାତ ଖାଲି । ପୋଲିସ ମିସିଂ କେସ୍‌ କରି ବସି ପଡ଼ିଥିବା କହିଛନ୍ତି ଅପହୃତ ଝିଅର ବାପା ।

Headlines 10- ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡା, କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡା ଓ କଳାହାଣ୍ଡି ଜିଲ୍ଲାରେ ଝଟକା ପବନ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।

;