ବିଳାସପୁର କୋଟା ଥାନା ସୀମା ଅନ୍ତର୍ଗତ ଶିବତରାଇ ଗାଁରେ ଏକ ଜାତୀୟ ସେବା ଯୋଜନା (ଏନଏସଏସ) କ୍ୟାମ୍ପ ଆୟୋଜନ କରାଯାଇଥିଲା । ଯାହା ୨୬ ମାର୍ଚ୍ଚରୁ ଆରମ୍ଭ ହୋଇ ୧ ଏପ୍ରିଲ ମଧ୍ୟରେ ଶେଷ ହେବାରେ ଥିଲା । କିନ୍ତୁ ଉକ୍ତ ଏନଏସଏସ ଶିବିରରେ ୧୫୯ ଜଣ ଛାତ୍ରଙ୍କୁ ନମାଜ ପାଠ କରିବାକୁ ବାଧ୍ୟ କରାଯାଇଥିଲା ବୋଲି ଅଭିଯୋଗ ଆସିଛି ।
Trending Photos
ଛତିଶଗଡ଼: ବିଳାସପୁର ଜିଲ୍ଲାରେ ଅନୁଷ୍ଠିତ ହେଉଥିବା ଏକ ଜାତୀୟ ସେବା ଯୋଜନା (NSS) ଶିବିର ସମୟରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ହିନ୍ଦୁ ଛାତ୍ରମାନଙ୍କୁ ନମାଜ ପାଠ କରିବାକୁ ବାଧ୍ୟ କରିବା ଅଭିଯୋଗରେ ସାତ ଜଣ ଅଧ୍ୟାପକଙ୍କ ସମେତ ଆଠ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି । ଏଫଆଇଆରରେ ନାଁ ଥିବା ଅଭିଯୁକ୍ତଙ୍କ ବୟାନ ରେକର୍ଡ କରିବା ପାଇଁ ପୋଲିସ ନିକଟରେ ହାଜର ହେବାକୁ ନୋଟିସ ଜାରି କରାଯାଇଛି। ଏହି ମାମଲାକୁ ଗମ୍ଭୀରତାର ସହ ନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି।
ଖବର ମୁତାବକ, ବିଳାସପୁର କୋଟା ଥାନା ସୀମା ଅନ୍ତର୍ଗତ ଶିବତରାଇ ଗାଁରେ ଏକ ଜାତୀୟ ସେବା ଯୋଜନା (ଏନଏସଏସ) କ୍ୟାମ୍ପ ଆୟୋଜନ କରାଯାଇଥିଲା । ଯାହା ୨୬ ମାର୍ଚ୍ଚରୁ ଆରମ୍ଭ ହୋଇ ୧ ଏପ୍ରିଲ ମଧ୍ୟରେ ଶେଷ ହେବାରେ ଥିଲା । କିନ୍ତୁ ଉକ୍ତ ଏନଏସଏସ ଶିବିରରେ ୧୫୯ ଜଣ ଛାତ୍ରଙ୍କୁ ନମାଜ ପାଠ କରିବାକୁ ବାଧ୍ୟ କରାଯାଇଥିଲା ବୋଲି ଅଭିଯୋଗ ଆସିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହା ଯେ, ଉକ୍ତ ଛାତ୍ରମାନଙ୍କ ମଧ୍ୟରୁ କେବଳ ଚାରି ଜଣ ମୁସଲମାନ ଛାତ୍ର ଥିଲେ ଏବଂ ବାକି ସମସ୍ତେ ହିନ୍ଦୁ ଛାତ୍ର ଥିଲେ । ଛାତ୍ରମାନେ କ୍ୟାମ୍ପରୁ ଫେରି ଆସି ପ୍ରତିବାଦ କରିବା ପରେ ଏ ଦିଗରେ ତଦନ୍ତ ଆରମ୍ଭ ହୋଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ସଂଗଠନଗୁଡ଼ିକ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।
ଏହି ଘଟଣାର ତଦନ୍ତ ପାଇଁ ବରିଷ୍ଠ ପୋଲିସ ଅଧୀକ୍ଷକ ରଜନୀଶ ସିଂହ ନଗର ପୋଲିସ ଅଧୀକ୍ଷକ (କୋଟୱାଲି) ଅକ୍ଷୟ ସବଦାରାଙ୍କ ନେତୃତ୍ୱରେ ଏକ ଚାରି ଜଣିଆ କମିଟି ଗଠନ କରିଥିଲେ। ତଦନ୍ତ ରିପୋର୍ଟ ଏସପିଙ୍କୁ ପ୍ରଦାନ କରାଯିବା ପରେ ଶନିବାର ମାମଲାଟି ପଞ୍ଜିକୃତ ହୋଇଛି। ଭାରତୀୟ ଦଣ୍ଡ ସଂହିତାର ପ୍ରାସଙ୍ଗିକ ଧାରା ଅନୁଯାୟୀ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସାତ ଜଣ ଅଧ୍ୟାପକଙ୍କ ସମେତ ମୋଟ ଆଠ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ସୂଚନା ମିଳିଛି ।
ଧର୍ମ ଆଧାରରେ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା, ଧାର୍ମିକ ଭାବନାକୁ ଆଘାତ ଦେବା ଏବଂ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପକୁ ଭିତ୍ତି କରି ଛତିଶଗଡ଼ ଧାର୍ମିକ ସ୍ୱାଧୀନତା ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଥିବା କୁହାଯାଉଛି । କିନ୍ତୁ ଖବର ମିଳିଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ କୌଣସି ବ୍ୟକ୍ତି ଗିରଫ ହୋଇନାହାନ୍ତି । କୋଟା ଥାନା ଇନଚାର୍ଜ ସୁମିତ କୁମାର ରବିବାର ଦିନ କହିଛନ୍ତି ଯେ, ଏହି ମାମଲାର ତଦନ୍ତ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି।
ବିଶ୍ୱବିଦ୍ୟାଳୟ ପରିଚାଳନାର ମିଡିଆ ଇନଚାର୍ଜ ଏମ୍ ଏନ୍ ତ୍ରିପାଠୀଙ୍କ କହିବାନୁଯାୟୀ, ଛାତ୍ରମାନେ ଏନଏସଏସ ସଂଯୋଜକ ଏବଂ କାର୍ଯ୍ୟକ୍ରମ ଅଧିକାରୀଙ୍କୁ ଧାର୍ମିକ କାର୍ଯ୍ୟକଳାପରେ ସାମିଲ କରିବାକୁ କହିଥିଲେ । କିନ୍ତୁ ଘଟଣା ସାମ୍ନାକୁ ଆସିବା ପରେ ସଂଯୋଜକଙ୍କୁ ନିଲମ୍ବିତ କରାଯାଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ହିନ୍ଦୁ ଦେବଦେବୀଙ୍କୁ ଅପମାନ, ସଙ୍କଟମୋଚନ ହନୁମାନଙ୍କ ମନ୍ଦିର ଭାଙ୍ଗିବା ଏବଂ ପ୍ରଶାସନିକ ଭବନରେ ନମାଜ ପାଠ କରିବାର ଘଟଣା ସାମ୍ନାକୁ ଆସିସାରିଛି ।
Also Read- PM Kisan Yojana: ଚାଷୀଙ୍କ ଆକାଉଣ୍ଟକୁ କେବେ ଆସିବ ୨୦ତମ କିସ୍ତି?
Also Read- BSNL Plan: ଜିଓ ଏବଂ ଏୟାରଟେଲର ନିଦ ଉଡାଇଲା ବିଏସଏନଏଲ, ୩୩୬ ଦିନ ପାଇଁ ଆଣିଲା ସୁବିଧା