ପୂର୍ତ୍ତ ବିଭାଗଯେ ଅନେକ ଦୁର୍ନୀତିର ଗନ୍ତାଘର ସେ ବାବଦରେ ଅନେକ ଆଲୋଚନା ହୋଇଛି। ଆଇଏଏସ୍ ଅଧିକାରୀଙ୍କ ନିଯୁକ୍ତି ଦ୍ୱାରା ଏହି ଗନ୍ତାଘରର କେତେ ଅଧ୍ୟାୟ ଖୋଲିପାରିଲା ଓ କେତେ ଅଧ୍ୟାୟ ନୂଆ ଯୋଡ଼ି ହେଲା ତାହାର ବିଚାର ହେବା ଦରକାର।
Trending Photos
Odisha News: ଭୁବନେଶ୍ୱର: ଆଇଏଏସ୍ ଶାସନରେ ଅତିଷ୍ଠ ହୋଇଛନ୍ତି ଇଞ୍ଜିନିୟରିଂ ବିଭାଗ। ଦୁର୍ନୀତି, ଅନୀତି ଏବଂ ରାଜ୍ୟର ଆଶଙ୍କିତ ଅମଙ୍ଗଳ ରୋକିବା ଲାଗି ଆଇଏଏସ୍ ନୁହନ୍ତି ବରଂ ଇଞ୍ଜିନିୟରମାନଙ୍କୁ ଶାସନ ମଙ୍ଗ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଶରଣରେ ପଶିଛନ୍ତି। ଦୀର୍ଘ ବର୍ଷ ହେଲା ଆଇଏଏସ୍ ଶାସନରେ ରହିବା ପରେ ଏହି ବିଭାଗ ଏବେ ସରକାରଙ୍କୁ ଜଣେ ଇଞ୍ଜିନିୟରଙ୍କ ନେତୃତ୍ୱ ଲାଗି ଦାବି କରିଛି। ଏକଦା ବିଜେଡି ସରକାର ସମୟରେ ସରକାରଙ୍କ ଗେହ୍ଲାପୁଅ ସାଜିଥିବା ଆଇଏଏସ୍ ଅଧିକାରୀ ବୀର ବିକ୍ରମ ଯାଦବ କେନ୍ଦ୍ରୀୟ ଡେପ୍ୟୁଟେସନ୍ରେ ଯିବା ପରେ ଏମିତି ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛି ଓଡ଼ିଶା ଇଞ୍ଜିନିୟରଂ ସେବା ସଂଘ।
ପୂର୍ତ୍ତ ବିଭାଗ ରାଜ୍ୟରେ ପୋଲ, ରାସ୍ତା ଓ ସରକାରୀ କୋଠା ତଥା ସାର୍ବଜନୀନ ଭିତ୍ତିଭୂମି ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମୁଖ୍ୟତଃ ଏହା ଇଞ୍ଜିନିୟରଙ୍କ ବିଭାଗ ଭାବେ ଜଣାଶୁଣା। ଏଣୁ ଏହାର ସର୍ବୋଚ୍ଚ ପଦବୀରେ ଜଣେ ଇଞ୍ଜିନିୟରଙ୍କୁ ଅଧିଷ୍ଠିତ କରିବା ଲାଗି ବିଧି ରହିଛି। ୧୯୭୪ ମସିହାରୁ ଏହି ବିଧିକୁ ପରମ୍ପରା ଭାବେ ମଧ୍ୟ ପାଳନ କରାଯାଉଥିଲା। କିନ୍ତୁ ବିଜେଡି ସରକାର ୨୦୦୩ ମସିହାରେ ଏଥିରେ ବ୍ୟତିକ୍ରମ ଆଣି ପ୍ରମୁଖ ଇଞ୍ଜିନିୟର ତଥା ସଚିବ ଭାବେ ତତ୍କାଳୀନ ଆଇଏଏସ୍ ଅଧିକାରୀ ଅରବିନ୍ଦ ବେହେରାଙ୍କୁ ନିଯୁକ୍ତ କରିଥିଲେ। କିନ୍ତୁ ସେ ସମୟରେ ଇଞ୍ଜିନିୟରମାନଙ୍କ ଭିତରେ ବ୍ୟାପକ ଅସନ୍ତୋଷ ଦେଖିବାକୁ ମିଳିଥିଲା। ସେମାନେ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ପୟାୟ ୧ ବର୍ଷ ପରେ ଏହି ପଦବୀରୁ ତାଙ୍କୁ ଅପସାରଣ କରାଗଲା। କିନ୍ତୁ ୨୦୧୯ ନିର୍ବାଚନ ପୂର୍ବରୁ ପୁଣିଥରେ ଜଣେ ଆଇଏଏସ୍ ଅଧିକାରୀଙ୍କୁ ବିଭାଗର ମୁଖ୍ୟ ଭାବେ ଅଧିଷ୍ଠିତ କରିଲେ। ସେ ହେଉଛନ୍ତି ଆଇଏଏସ୍ ଅଧିକାରୀ କିଷନ୍ କୁମାର। ସେ ସେତେବଳେ ସରକାରଙ୍କ ଅନେକ କ୍ଷମତାର ଅଧିକାରୀ ଥିଲେ। ମାର୍ଚ୍ଚ ୪, ୨୦୧୯ ମସିହାରୁ ସେ ଏହି ପଦବୀରେ ରହିଥିଲେ। ତାଙ୍କ ସମୟରେ ସରକାରଙ୍କ ଅନେକ ସ୍ୱପ୍ନର ପ୍ରକଳ୍ପ ବାସ୍ତବ ରୂପ ନେଇଥିଲା। ହେଲେ ୨୦୨୪ ନିର୍ବାଚନ ପୂର୍ବରୁ ତତ୍କାଳୀନ ସରକାରୀ କଳର ମୁଖିଆ ତଥା ଫାଇଭ୍ ଟି ସଚିବ ଭି କେ ପାଣ୍ଡିଆନ୍ଙ୍କ ସହ ତାଙ୍କର ମନୋମାଳିନ୍ୟ ହୋଇଥିବା କୁହାଯାଏ। ସେହି କାରଣରୁ ସେ କେକନ୍ଦ୍ରୀୟ ଡେପ୍ୟୁଟେସନ୍ରେ ଗଲେ। କିନ୍ତୁ ତାଙ୍କ ସ୍ଥାନରେ ଇଞ୍ଜିନିୟର ନିଯୁକ୍ତି ପରିବର୍ତ୍ତେ ଆଉଜଣେ ଖାସ୍ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା। ସେ ହେଲେ ବୀର ବିକ୍ରମ ଯାଦବ। ଏବେ ଶ୍ରୀ ଯାଦବ କେନ୍ଦ୍ରୀୟ ଡେପ୍ୟୁଟେସନରେ ଯିବା ପରେ ପଦବୀ ଖାଲିପଡ଼ିଛି। ଏଣୁ ଇଞ୍ଜିନିୟର ମାନେ ନିଜର ଅସ୍ମିତା ରକ୍ଷା ପାଇଁ ଏବେ ମୁଖ୍ୟମନ୍ତ୍ରୀଙ୍କ ଗୁହାରି ପଡ଼ିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ସଂଘଂ ସଭାପତି କହିଛନ୍ତି, ପୂର୍ତ୍ତ ବିଭାଗ ବବିଭିନ୍ନ ସରକାରୀ ଭିତ୍ତିଭୂମି ଯାମିତି କୋଠାବାଡ଼ି, ରାସ୍ତା, ପୋଲ, ବିମାନବନ୍ଦରର ଯୋଜନା, ଡିଜାଇନ, ନିର୍ମାଣ, ରକ୍ଷଣାବେକ୍ଷଣ କରି ଆସୁଛି। ୧୯୭୪ ମସିହାରୁ ଏହାର ମୁଖ୍ୟ ପଦବୀରେ ଜଣେ ଇଞ୍ଜିନିୟର ନିଯୁକ୍ତି ହୋଇ ଆସୁଛି। କିନ୍ତୁ ନିକଟରେ ଜଣେ ଅମଲାତନ୍ତ୍ରୀଙ୍କୁ ଏଠାରେ ନିଯୁକ୍ତି ଦିଆଯାଉଛି। ଏହା ଇଞ୍ଜିନିୟରଙ୍କ ଅସ୍ମିତାକୁ ହାନୀ କରୁଛି। ପୁଣି ପ୍ରକଳ୍ପଗୁଡ଼ିକର ଠିକଣା ରୂପାୟନ ଲାଗି ଜଣେ ଇଞ୍ଜିନିୟରଙ୍କୁ ଏହି ପଦବୀରେ ଅଧିଷ୍ଠିତ କରିବା ଆବଶ୍ୟକ।
ଏହି ଦାବିପତ୍ର ଇଙ୍ଗିତ କରୁଛି ଯେ, ଅମଲାତନ୍ତ୍ରୀଙ୍କ ଶାସନରେ ଇଞ୍ଜିନିୟରିଂ ପ୍ରକଳ୍ପଗୁଡ଼ିକର ରୂପାୟନ ଓ ରକ୍ଷଣାବେକ୍ଷଣରେ ସମସ୍ୟା ରହିଛି। ଯେଉଁ କଥାକୁ ସେମାନେ ଖୋଲାଖୋଲିଭାବେ କହିପାରୁ ନାହାନ୍ତି ତାହା ହେଲା, ଏହି ଅଧିକାରୀଙ୍କ ୫ ବର୍ଷର ଶାସନରେ କିଛି କଣ୍ଟକିତ ଅଧ୍ୟାୟ ରହିଛି। ଯଦି ହଁ ତାହାକୁ କାହିଁକି ସରକାର ତଦନ୍ତ ପରିସରଭୁକ୍ତ କରୁନାହାନ୍ତି?
ପୂର୍ତ୍ତ ବିଭାଗଯେ ଅନେକ ଦୁର୍ନୀତିର ଗନ୍ତାଘର ସେ ବାବଦରେ ଅନେକ ଆଲୋଚନା ହୋଇଛି। ଆଇଏଏସ୍ ଅଧିକାରୀଙ୍କ ନିଯୁକ୍ତି ଦ୍ୱାରା ଏହି ଗନ୍ତାଘରର କେତେ ଅଧ୍ୟାୟ ଖୋଲିପାରିଲା ଓ କେତେ ଅଧ୍ୟାୟ ନୂଆ ଯୋଡ଼ି ହେଲା ତାହାର ବିଚାର ହେବା ଦରକାର।