ଶ୍ରୀ ରଥଙ୍କୁ ୨୦୦୬ ମସିହାରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହା ବ୍ୟତୀତ ୧୦୧୮ ମସିହାରେ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ ପ୍ରଦାନ କରାଯାଇଥିଲା। ଏହା ପୂର୍ବରୁ ୧୯୭୮ ମସିହାରେ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଶ୍ରୀରାଧା ପାଇଁ ୧୯୯୨ ସରସ୍ୱତୀ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା।
Trending Photos
Ramakant Rath: ଭୁବନେଶ୍ୱର: ଚର୍ଚ୍ଚିତ ସନ୍ଦିଗ୍ଧ ମୃଗୟା, ସପ୍ତମ ଋତୁ , ସଚିତ୍ର ଅନ୍ଧାର ଏବଂ ଶ୍ରୀରାଧାର ରଚୟିତା ତଥା ବିଶିଷ୍ଟ କବି ପଦ୍ମଭୁଷଣ ରମାକାନ୍ତ ରଥଙ୍କର ଆଜି ସକାଳୁ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରସ୍ଥିତ ଖାରବେଳନଗର ବାସଭବନରେ ଆଜି ସକାଳୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ୧୯୩୪ ମସିହା ଡିସେମ୍ବର ୧୩ ତାରିଖରେ ସେ କଟକରେ ଜନ୍ମଗ୍ରହଣ କରିଥିଲେ। ଏହା ସହିତ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି।
ଏଠାରେ କହି ରଖୁ କି ଶ୍ରୀରାଧା, ସନ୍ଦିଗ୍ଧ ମୃଗୟା, ସଚିତ୍ର ଅନ୍ଧାର ଓ ସପ୍ତମ ଋତୁ ପାଇଁ ଶ୍ରୀ ରଥ ସ୍ୱତନ୍ତ୍ର ପରିଚୟ ହାସଲ କରିଥିଲେ। ‘ସପ୍ତମ ଋତୁ’ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ପୁରସ୍କାର ମିଳିଥିବା ବେଳେ ସଚିତ୍ର ଅନ୍ଧାର ପାଇଁ ତାଙ୍କୁ ଶାରଳା ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ୧୯୮୪ରେ କବିତା ସଂକଳନ ଶ୍ରୀରାଧାକୁ ରଚନା କରିଥିଲେ ରମାକାନ୍ତ ରଥ। କବି ରମାକାନ୍ତ ରଥଙ୍କୁ ଏଥି ପାଇଁ ୧୯୯୨ରେ ସରସ୍ୱତୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଭରତବର୍ଷର କାବ୍ୟ ସାହିତ୍ୟରେ 'ଶ୍ରୀରାଧା' ଏକ କ୍ଲାସିକ ସୃଷ୍ଟିର ମାନ୍ୟତା ପାଇଛି। ଏହା ଇଂରାଜୀ ଓ ଆଠଟି ଭାରତୀୟ ଭାଷାରେ ଅନୁଦିତ ହୋଇ ବିପୁଳ ପାଠକୀୟ ଶ୍ରଦ୍ଧା ଲାଭ କରିଛି । ଇଂରାଜୀ ଭାଷାକୁ ଅନୁବାଦ ନିଜେ ଲେଖକ ରମାକାନ୍ତ ରଥ କରିଛନ୍ତି । ଶ୍ରୀରାଧାରେ, ରାଧାଙ୍କୁ କବି କେବଳ କୃଷ୍ଣଙ୍କ ପ୍ରେମିକା ଭିନ୍ନ ଏକ ସ୍ୱତନ୍ତ୍ର ନାରୀର ପରିଚୟ ପ୍ରଦାନ କରିବାକୁ ଚେଷ୍ଟା କରିଛନ୍ତି ।
ସେହିପରି ଶ୍ରୀ ରଥ ୧୯୬୨ ମସିହାରେ 'କେତେ ଦିନର', ୧୯୬୨ ମସିହାରେ 'ଅନେକ କୋଠରୀ', ୧୯୭୧ ମସିହାରେ ସନ୍ଦିଗ୍ଧ ମୃଗୟା, ସୀମାନ୍ତ ବାସ, ଫେରି ଚାହିଁଲେ ଆଦି କବିତା ରଚନା କରିଥିଲେ। ସେ କବିତା ଲେଖିବା ସହିତ ୧୯୭୫ ମସିହାରେ ଭାରତୀୟ ପ୍ରଶାସନିକ ସେବାରେ ମଧ୍ୟ ଯୋଗ ଦେଇଥିଲେ। ୧୯୯୩ ରୁ ୧୯୯୮ ମସିହା ପର୍ଯ୍ୟନ୍ତ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପସଭାପତି ଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି। ସେହିପରି ୧୯୯୮ ରୁ ୨୦୦୩ ମସିହା ପର୍ଯ୍ୟନ୍ତ ସଭାପତି ଦାୟିତ୍ୱରେ ରହିଥିଲେ। ଏହା ବ୍ୟତୀତ ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ଦାୟିତ୍ୱ ତୁଲାଇ ସାରିଛନ୍ତି।
ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ
କବି ରମାକାନ୍ତ ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପଦ୍ମଭୂଷଣ ସ୍ଵର୍ଗତ ରଥ ଭାରତୀୟ ସାହିତ୍ୟ ଜଗତର ଅଳ୍ପ କେତେଜଣ ଶ୍ରେଷ୍ଠ କବି ଙ୍କ ମଧ୍ୟ ରେ ସେ ଥିଲେ ଅନ୍ୟତମ। ସପ୍ତମ ଋତୁ, ଶ୍ରୀରାଧା, ସଚିତ୍ର ଅନ୍ଧାର, କେତେ ଦିନର, ଦୁଆର ଏପଟୁ, ନଯା ନଯା କହୁକହୁ ପରି ଅନେକ କାଳଜୟୀ ରଚନା ତାଙ୍କୁ ସାହିତ୍ୟ ଜଗତ ରେ ଚିର ଦିନ ପାଇଁ ଅମରକରି ରଖିବ। ବିଭିନ୍ନ ବିଭାଗ ର ସଚିବ ଓ ମୁଖ୍ୟ ଶାସନ ସଚିବ ଭାବେ ମଧ୍ୟ ରାଜ୍ୟର ବିକାଶରେ ସେ ଗୁରୁତ୍ଵପୂର୍ଣ୍ଣ ଭୂମିକା ରଖିଛନ୍ତି। ଓଡ଼ିଆ ସାହିତ୍ୟକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚେଇବାରେ ତାଙ୍କ ଭୂମିକାକୁ ଅସ୍ବୀକାର କରିହେବନି। କାଳଜୟୀ କାବ୍ୟଗ୍ରନ୍ଥ ଶ୍ରୀରାଧା ପାଇଁ ସରସ୍ୱତୀ ସମ୍ମାନ, ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଓ ସଚିତ୍ର ଅନ୍ଧାର ପାଇଁ ସାରଳା ପୁରସ୍କାର ହାସଲ କରିବା ସହ ସେ ପ୍ରଥିତଯଶା ଲେଖକ ରୂପେ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋସିପ ମଧ୍ୟ ପାଇଥିଲେ।
ତାଙ୍କ ବିୟୋଗ ସାହିତ୍ୟ ଜଗତ ପାଇଁ ଅପୂରଣୀୟ କ୍ଷତି । ମୁଖ୍ୟମନ୍ତ୍ରୀ ସ୍ବର୍ଗତ ରଥ ଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ସୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣେଇଛନ୍ତି। ତାଙ୍କ ପରି ମହାନ ସାହିତ୍ୟିକ ଓ ଯୁଗସ୍ରଷ୍ଟାଙ୍କୁ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ କରାହେବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଶ୍ରୀ ରଥଙ୍କୁ ୨୦୦୬ ମସିହାରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହା ବ୍ୟତୀତ ୧୦୧୮ ମସିହାରେ ଅତିବଡୀ ଜଗନ୍ନାଥ ଦାସ ସମ୍ମାନ ପ୍ରଦାନ କରାଯାଇଥିଲା। ଏହା ପୂର୍ବରୁ ୧୯୭୮ ମସିହାରେ ସପ୍ତମ ଋତୁ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଶ୍ରୀରାଧା ପାଇଁ ୧୯୯୨ ସରସ୍ୱତୀ ସମ୍ମାନ ମଧ୍ୟ ପ୍ରଦାନ କରାଯାଇଥିଲା। ସେହିପରି ୧୯୮୪ ମସିହାରେ ଶାରଳା ପୁରସ୍କାର, ୧୯୯୧ ମସିହାରେ ବିଷୁବ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।