Trending Photos
Odisha Government: କୋଲକାତା: ଓଡ଼ିଶାରେ ବଙ୍ଗାଳୀ ଶ୍ରମିକଙ୍କୁ ଅଟକ ରଖାଯିବା ପ୍ରସଙ୍ଗରେ କଲିକତା ହାଇକୋର୍ଟ ଗୁରୁବାର ଓଡ଼ିଶା ସରକାରଙ୍କୁ ଜବାବ ମାଗିଛନ୍ତି। ଶ୍ରମିକମାନଙ୍କ ମୁକ୍ତି ସୁନିଶ୍ଚିତ କରିବା କରିବା ପାଇଁ ଓଡ଼ିଶାର ଅଧିକାରୀମାନଙ୍କୁ ଯୋଗାଯୋଗ କରିବା ଲାଗି ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରିବାକୁ ହାଇକୋର୍ଟ ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଝାରସୁଗୁଡ଼ା ଜିଲାର ବିଭିନ୍ନ ଥାନା ଅଧୀନ ଅଞ୍ଚଳର ନିର୍ମାଣ ଓ ଖଣି ଖନନ କାର୍ଯ୍ୟରେ ନିୟୋଜିତ ଥିବା ୪୪୪ ଜଣଙ୍କୁ ବାଂଲାଦେଶୀ ନାଗରିକ ହୋଇଥିବା ସନ୍ଦେହ କରି ଅଟକ ରଖାଯାଇ ସେମାନଙ୍କ ପ୍ରମାଣପତ୍ର ଯାଞ୍ଚ ଚାଲିଥିବା ନେଇ ମଙ୍ଗଳବାର ଜିଲା ପୋଲିସ ଓ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା। ଦେଶରେ ବେଆଇନ ଭାବେ ବସବାସ କରୁଥିବା ବିଦେଶୀ ନାଗରିକଙ୍କୁ ଚିହ୍ନଟକରି ବାହାର କରିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥୁବା ନିର୍ଦ୍ଦେଶ କ୍ରମେ ଓଡ଼ିଶା ସରକାର ଏହି ଅପରେସନ୍ ଚଳାଇଥିବା ଜଣାପଡ଼ିଛି। ଏହାର ଦିନକ ପରେ ଅର୍ଥାତ୍ ବୁଧବାର ତୃଣମୂଳ କଂଗ୍ରେସ (ଟିଏମ୍ସି) ଏମ୍ପି ମହୁଆ ମୋଇତ୍ର ସମ୍ପୃକ୍ତ ଶ୍ରମିକଙ୍କ ମଧ୍ୟରୁ ୨୩ ଜଣ ତାଙ୍କ କ୍ରିଷ୍ଣାନଗର ସଂସଦୀୟ ନିର୍ବାଚନମଣ୍ଡଳୀର ବାସିନ୍ଦା ଦର୍ଶାଇ ସେମାନଙ୍କ ମୁକ୍ତି ପାଇଁ ସରକାରଙ୍କୁ ଚେତବାନୀ ଦେଇଥିଲେ।
ଇତିମଧ୍ଯରେ ଉକ୍ତ ମାମଲା କଲିକତା ହାଇକୋର୍ଟରେ ପହଞ୍ଚୁଛି । ଜଷ୍ଟିସ୍ ତପବ୍ରତ ଚକ୍ରବର୍ତ୍ତୀ ଏବଂ ରୀତୋବ୍ରତ ମିତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂକ୍ରାନ୍ତରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ସୋମବାର ସୁଦ୍ଧା ଅଦାଲତରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି, ବଙ୍ଗଳା ଭାଷୀ ଶ୍ରମିକମାନଙ୍କୁ କାହିଁକି ଅଟକ ରଖାଯାଇଛି? ସେମାନଙ୍କୁ କେଉଁ ଆଧାରରେ ଅଟକ ରଖାଯାଇଛି ? ଶ୍ରମିକଙ୍କ ବିରୋଧରେ କୌଣସି ମାମଲା ରୁଜୁ ହୋଇଛି କି ? ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କି? ଏବେ ସେହି ଶ୍ରମିକମାନେ କେଉଁଠି ଅଛନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ଏଥିସହ ଖଣ୍ଡପୀଠ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ମନୋଜ ପନ୍ଥଙ୍କୁ ଓଡ଼ିଶା ପ୍ରତିପକ୍ଷ ମନୋଜ ଆହୁଜାଙ୍କଠାରୁ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ମାଗିବାକୁ କହିଛନ୍ତି।