ଭୁବନେଶ୍ୱର: ଆସନ୍ତା ସୋମବାର ଜୁଲାଇ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ୧୦୦୦ ଜଣ ଆବେଦନକାରୀ ସେମାନଙ୍କର ନାମ ଅନ୍ ଲାଇନ୍ ଯୋଗେ ପଞ୍ଜୀକରଣ କରିସାରିଛନ୍ତି ।
ଏହି ଅନଲାଇନ ପଞ୍ଜୀକରଣ ଆଜି ଜୁଲାଇ ୨୫ ତାରିଖ ସକାଳ ୧୦.୦୦ ଠାରୁ ଆରମ୍ଭ ହୋଇ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିବା ପର୍ଯ୍ୟନ୍ତ ଖୋଲା ରହିଥିଲା । ତେବେ ଆଜି ଅପରାହ୍ଣ ସୁଦ୍ଧା ସମସ୍ତ ପଞ୍ଜୀକରଣ ସରିଥିବା (ବୁକ୍ ହୋଇସାରିଥିବା) ଜଣାଯାଇଛି । ଜନସାଧାରଣ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ଇଚ୍ଚୁକ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ସେମାନଙ୍କର ନାମ ପଞ୍ଜୀକରଣ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଏଥର ଜୁଲାଇ ୨୮ ତାରିଖ ସୋମବାର ସକାଳ ୮ଟାରୁ ୟୁନିଟ-୨, ଅଶୋକ ନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି । ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ବ୍ୟବସ୍ଥା ରହିଛି । ଏନେଇ ଲୋକ ସମ୍ପର୍କ ଅଧିକାରୀ ପଠାଣି ରାଉତ ସୂଚନା ଦେଇଛନ୍ତି ।