Top 10 News Today: ଆଜି ଓଡ଼ିଶା ଆସୁଛନ୍ତି ରାହୁଲ, ଆସନ୍ତାକାଲି ଫେରିବେ ନବୀନ ଓ ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2835034

Top 10 News Today: ଆଜି ଓଡ଼ିଶା ଆସୁଛନ୍ତି ରାହୁଲ, ଆସନ୍ତାକାଲି ଫେରିବେ ନବୀନ ଓ ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ଆଜି ଓଡ଼ିଶା ଆସୁଛନ୍ତି ରାହୁଲ, ଆସନ୍ତାକାଲି ଫେରିବେ ନବୀନ ଓ ୧୦ ବଡ଼ ଖବର

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ
ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିରୋଧି ଦଳ ନେତା ରାହୁଲ ଗାନ୍ଧୀ। ତାଙ୍କ ସହିତ ଏଆଇସିସିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ମଧ୍ୟ ଆସିବେ। ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ  ଦିନ ୧୧ଟାରେ ଭୁବନେଶ୍ୱରରେ ପହଞ୍ଚିବେ। ରାହୁଲ୍‌ଙ୍କୁ ସ୍ବାଗତ କରିବା ପାଇଁ ସହରର କୋଣ ଅନୁକୋଣରେ ପୋଷ୍ଟର, ବ୍ୟାନର୍‌ ଛାଇଯାଇଛି। ସଭାସ୍ଥଳରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। 

ଚତୁର୍ଥ ଦିନରେ ଡ୍ରାଇଭର ଆନ୍ଦୋଳନ
ଚତୁର୍ଥ ଦିନରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ୭ ଦଫା ଦାବିରେ ଚାଲିଛି ଧର୍ମଘଟ। ଆଜି ବି ଗଡୁନି ବସ କି ଟ୍ରକ୍। ଫଳରେ ହନ୍ତସନ୍ତ ହେଉଛନ୍ତି ଯାତ୍ରୀ। ସରକାର ଓ ଡ୍ରାଇଭରଙ୍କ ମଧ୍ୟରେ କିଛି ନୂଆ ଆଲୋଚନା ହୋଇ ନାହିଁ କିମ୍ଵା ସମାଧାନର ବାଟ ବାହାରି ପାରିନାହିଁ। ତେଣୁ ଡ୍ରାଇଭର ସଙ୍ଘ ନିଜ ଜିଦରେ ଅଟଳ ରହିଛି। ଆଗରୁ ପରିବହନ ମନ୍ତ୍ରୀ କହିଥିଲେ ଯେ, ଡ୍ରାଇଭର ସଙ୍ଘ ସଦସ୍ୟଙ୍କ ସହ ସେମାନଙ୍କ ଦାବି ନେଇ ଆଲୋଚନା ହୋଇଛି। ସେମାନଙ୍କ ଦାବି ପୂରଣ ଦିଗରେ କାର୍ଯ୍ୟ କରାଯିବ। ଏହା ସତ୍ତ୍ଵେ ସେମିତି କିଛି ଠୋସ୍ ଘୋଷଣା ଏ ଯାଏ କରାଯାଇ ନାହିଁ। ତେଣୁ ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଛି। ସାରା ରାଜ୍ୟରେ ବସ୍ ଚଳାଚଳ ପ୍ରଭାବିତ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ମଧ୍ୟ ପ୍ରଭାବିତ ହୋଇଛି।

ବଙ୍ଗୋପସାଗରରେ ଆସୁଛି ଘୂର୍ଣ୍ଣିବଳୟ,  ପ୍ରବଳ ବର୍ଷା ସମ୍ଭାବନା
ପୁଣି ସୃଷ୍ଟି ହେବ ଘୁର୍ଣ୍ଣିବଳୟ । ଆସନ୍ତା ୧୩ ରୁ ୧୫ ତାରିଖ  ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୧୫ ତାରିଖ ପରେ କମିବ ବର୍ଷାର ବିସ୍ତୃତି । ବର୍ତ୍ତମାନ ଏକ ଘୁର୍ଣ୍ଣିବଳୟ ଝାଡ଼ଖଣ୍ଡ ଉପରେ ରହିଛି । ଯେଉଁଥିପାଇଁ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଭାରି ବର୍ଷା ହୋଇପାରେ । ଆସନ୍ତାକାଲି ତଥା ୧୧ ଓ ୧୨ ତାରିଖରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ପୂର୍ବ କ୍ଷେତ୍ରୀୟ ପରିଷଦର ୨୭ତମ ବୈଠକ
ରାଞ୍ଚିରେ ପୂର୍ବାଞ୍ଚଳ ପରିଷଦ (ଇଷ୍ଟର୍ଣ୍ଣ ଜୋନାଲ୍‌ କାଉନ୍‌ସିଲ୍‌)ର ୨୭ତମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ। ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ସରକାରଙ୍କ ସଫଳତା ଓ ଗତ ବର୍ଷକର ଉପଲବ୍ଧି ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ।

ଆସନ୍ତାକାଲି ଫେରିବେ ନବୀନ
ସ୍ବାସ୍ଥ୍ୟଜନିତ ସମସ୍ୟାର ସମ୍ମୁଖୀନ ହେଲା ପରେ ଚିକିତ୍ସା ପାଇଁ ମୁମ୍ବାଇ ଯାଇଥିବା ଓଡ଼ିଶା ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସନ୍ତା ୧୨ ତାରିଖରେ ଓଡ଼ିଶା ଫେରିବେ। ସେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍‌ଣ ୧ଟାରେ ପହଞ୍ଚିବେ। ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଓପିଏସସିର ସଦସ୍ୟ ହେଲେ ଆଇଏଏସ ମନୋଜ କୁମାର ମହାନ୍ତି
ଓଡିଶା ଲୋକସେବା ଆୟୋଗ (ଓପିଏସସି)ର ସଦସ୍ୟ ହେଲେ ଆଇଏଏସ  ମନୋଜ କୁମାର ମହାନ୍ତି । ଏ ନେଇ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମନୋଜଙ୍କୁ ୬ ବର୍ଷ ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି।  ପୂର୍ବରୁ ସେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ଭାବେ   କାର୍ଯ୍ୟ କରୁଥିଲେ।

MCL ସିଜିଏମଙ୍କୁ ବାନ୍ଧିଲା ସିବିଆଇ
ରୁବାର ଦିନ ଅପରାହ୍ନରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (MCL) ର ଚିଫ୍ ଜେନେରାଲ ମ୍ୟାନେଜର ଅଖିଳେଶ ବର୍ମାଙ୍କୁ ଗିରଫ୍ କରିଛି। ଖବର ଅନୁଯାୟୀ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତ ପଠାଯାଇଛି।

ବିଜେପି ବିଧାୟକଙ୍କ ଗିରଫ ଦାବିରେ ବିଜୁ ମହିଳା ଜନତା ଦଳର ସ୍ୱାଭିମାନ ରାଲି
ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡ଼ ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ବିଜେପି ବିଧାୟକ ସନ୍ତୋଷ ଖଟୁଆ ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ଆଜି ବିଜୁ ମହିଳା ଜନତା ଦଳ ରାଜରାସ୍ତାକୁ ଓହ୍ଲାଇଛି । ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ବିଜେଡିର ବରିଷ୍ଠ ଉପସଭାପତି ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ରାଜମହଲ ଛକରୁ ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ମହିଳା ବିଜେଡିର ସ୍ୱାଭିମାନ ରାଲି କରାଯାଇ ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।

କାନାଡା ଉପରେ ୩୫ ପ୍ରତିଶତ ଟାରିଫ ଲଗାଇଲେ ଟ୍ରମ୍ପ
ବ୍ରାଜିଲ ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପଡ଼ୋଶୀ ଦେଶ କାନାଡା ଉପରେ ଶୁଳ୍କ ଲଗାଇବାକୁ ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଟ୍ରମ୍ପ ଏକ ଚିଠି ଜାରି କରି କହିଛନ୍ତି ଯେ କାନାଡାରୁ ଆସୁଥିବା ଉତ୍ପାଦଗୁଡ଼ିକ ଉପରେ 35 ପ୍ରତିଶତ ଶୁଳ୍କ ଲାଗୁ କରାଯିବ। ଏହି ନୂତନ ଶୁଳ୍କ 1 ଅଗଷ୍ଟ, 2025 ରୁ କାର୍ଯ୍ୟକାରୀ ହେବ। ଟ୍ରମ୍ପ ଏହି ନିଷ୍ପତ୍ତିକୁ କାନାଡାର ଅନୁଚିତ ବାଣିଜ୍ୟ ଆଚରଣର ପ୍ରତିକ୍ରିୟା ଭାବରେ ବର୍ଣ୍ଣନା କରିଛନ୍ତି। ଟ୍ରମ୍ପ କାନାଡା ବିଷୟରେ ଏକ ସରକାରୀ ଚିଠି ଜାରି କରି ଲେଖିଛନ୍ତି ଯେ କାନାଡା ଆମେରିକାରେ ବିପଜ୍ଜନକ ଔଷଧ ଫେଣ୍ଟାନିଲକୁ ନିଷିଦ୍ଧ କରିବାରେ ବିଫଳ ହୋଇଛି। ଏହା ଆମେରିକୀୟ ସମାଜ ପାଇଁ ଏକ ଗମ୍ଭୀର ବିପଦ ସୃଷ୍ଟି କରୁଛି।

ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟ ଗିରଫ
ଓଲିଉଡ୍ ଅଭିନେତା ପାର୍ଥସାରଥୀ ରାୟଙ୍କୁ ବାନ୍ଧିଲା ପୁଲିସ । ଛାଡ଼ପତ୍ର ମାମଲାରେ କୋର୍ଟଙ୍କ ନିୟମ ଖିଲାପ କରିବା ଅଭିଯୋଗରେ ହୋଇଛନ୍ତି ଗିରଫ  । ପାର୍ଥସାରଥୀଙ୍କୁ ଭୁବନେଶ୍ବର ବଡଗଡ଼ ଥାନା ପୁଲିସ ଆଜି ଗିରଫ କରିଛି । ଏନବିଡବ୍ଲୁ  ଆଧାରରେ ଗିରଫ ହୋଇଛନ୍ତି ପାର୍ଥ । ପୁଲିସ ଗିରଫ କରିବା ପରେ ପାର୍ଥସାରଥୀଙ୍କୁ କୋର୍ଟ ଚାଲାଣ କରିଛି । ପୂର୍ବରୁ ତାଙ୍କର ଛାଡ଼ପତ୍ର ମାମଲା ଚାଲିଥିଲା । କୋର୍ଟ ନିୟମ ଖିଲାପ କରିଥିବାରୁ ଜାରି ହୋଇଥିଲା ଜାମିନ ବିହୀନ ଗିରଫ ପରୱାନା । ପାର୍ଥସାରଥୀଙ୍କୁ ଗିରଫ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପରେ ବଡ଼ଗଡ ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

;