Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ଆଜି ପ୍ରବଳ ବର୍ଷିବ
ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟଟି ଉତ୍ତର ବଙ୍ଗୋପସାଗରରେ ପ୍ରବେଶ କରିବା ସମ୍ଭାବନା ରହିଛି। ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷା ପରିମାଣ। ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ବଳଙ୍ଗା ପୀଡିତା ଏବେ ବି ସଂକଟାପନ୍ନ
ବଳଙ୍ଗା ପୀଡ଼ିତାଙ୍କ ଅସ୍ତ୍ରୋପଚାର ହୋଇଛି । ଗଭୀର ଭାବେ ପୋଡ଼ିଥିବା ଅଂଶରେ ଅସ୍ତ୍ରୋପଚାର ହୋଇଛି । ଦିଲ୍ଲୀ ଏମ୍ସରେ ଭର୍ତ୍ତି ଅଛନ୍ତି ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତା । ତେବେ ପୀଡ଼ିତାଙ୍କ ଗଭୀର ଭାବେ ପୋଡ଼ିଥିବା ଅଂଶରେ ଅସ୍ତ୍ରୋପଚାର କରାଯାଇଥିବା ନେଇ ଏମ୍ସ ଦିଲ୍ଲୀ ପକ୍ଷରୁ ସୂଚନା ଦିଆଯାଇଛି। ଏବେ ବି ଅକ୍ସିଜେନ୍ ସପୋର୍ଟରେ ଅଛନ୍ତି ପୀଡ଼ିତା ଓ ଅବସ୍ଥା ଗୁରୁତର ଥିବା ନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।ଏଥିସହ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ଆଜି ଚିତାଲାଗି: ଶ୍ରୀମନ୍ଦିରରେ ୪ଘଣ୍ଟା ଦର୍ଶନ ବନ୍ଦ
ଶ୍ରାବଣ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥିରେ ଗୁରୁବାର ଶ୍ରୀବିଗ୍ରହମାନଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ। ଏହି ଗୁରୁତ୍ବପୂର୍ଣ୍ଣ ପାଇଁ ପ୍ରଥମ ଭୋଗ ମଣ୍ଡପ ଶେଷ ହେବା ପରେ ଶ୍ରୀମନ୍ଦିର ଅପରାହ୍ଣ ୨.୩୦ରୁ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ଗନ୍ଧମାର୍ଦ୍ଦନରେ ଫସି ରହିଛନ୍ତି ୧୭ ପର୍ଯ୍ୟଟକ
ଗନ୍ଧମାର୍ଦ୍ଦନରେ ଫସି ରହିଛନ୍ତି ୧୭ ଛତିଶଗଡ଼ି ପର୍ଯ୍ୟଟକ। ପାଇକମାଳ ନୃସିଂହନାଥ ଠାରୁ ୫ କିମି ଦୂର କପିଳଧାରା ଜଳପ୍ରପାତ ନିକଟରେ ଫସି ରହିଛନ୍ତି ୧୭ ଛତିଶଗଡ଼ି ପର୍ଯ୍ୟଟକ। ଖବର ପାଇବାପରେ ଉଦ୍ଧାର ପାଇଁ ଯାଇଛନ୍ତି ଡିଭିଏଫ୍, ପୋଲିସ, ଅଗ୍ନିଶମ ବାହିନୀ ଓ ବନବିଭାଗ । ପଦ୍ମପୁର ଏସ୍ଡିପିଓ ପାଣ୍ଡବ ଶବର କହିଛନ୍ତି, ଜଙ୍ଗଲରେ ବାଟବଣା ହୋଇଥିବାନେଇ ଟୋଲ୍ ଫ୍ରି ନମ୍ବରକୁ ଛତିଶଗଡର ଜଣେ ଶ୍ରଦ୍ଧାଳୁ ଫୋନ୍ କରି ଜଣାଇଥିଲେ। ବର୍ଷା ଓ ଅନ୍ଧାର କାରଣରୁ ରାସ୍ତାଭୁଲି ଅନ୍ୟ ଦିଗରେ ଚାଲିଯାଇଥିବା ସେ ସୂଚନା ଦେଇଛନ୍ତି।
ବଜ୍ରପାତରେ ୧୦ ମୃତ
ରାଜ୍ୟର ବିଭିନ୍ନ ସ୍ଥାନରେ ବୁଧବାର ବଜ୍ରାଘାତରେ ୮ ଜଣଙ୍କ ଜୀବନ ଯାଇଛି। ୫ରୁ ଅଧିକ ଆହତ ହୋଇଛନ୍ତି। ଢେଙ୍କାନାଳରେ ୨ ଓ ଗଞ୍ଜାମ ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି କେନ୍ଦୁଝର, ନୟାଗଡ଼, ପୁରୀ, କଟକ ଜିଲ୍ଲାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।
ମୋହନଙ୍କ ଫୋକସ୍ରେ ମଠ ମନ୍ଦିର
ମଠ ମନ୍ଦିରର ବିକାଶକୁ ଜୋରଦାର କରିଛନ୍ତି ମୋହନ ସରକାର । ଏଥିପାଇଁ ଆବଶ୍ୟକୀୟ ବଜେଟ୍ ସହ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଗାଁ ମା’ ତାରିଣୀ ପୀଠ, ଯାଜପୁରର ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଓ ଏକାମ୍ର କ୍ଷେତ୍ରର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୋହନ ।
ଗୁଜୁରାଟରୁ ଅଲ-କାଏଦାର ୪ ଆତଙ୍କବାଦୀ ଗିରଫ
ଗୁଜୁରାଟ ଆତଙ୍କବାଦ ନିରୋଧୀ ଦଳ (ATS) ଏକ ବଡ଼ ଅଭିଯାନ ଚଳାଇ ଅଲ-କାଏଦାର ମଡ୍ୟୁଲ୍ AQIS ର ଏକ ନୂଆ ଯୋଜନାକୁ ପଣ୍ଡ କରିଦେଇଛି । ଏହି ଅଭିଯାନରେ ATS ଚାରି ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏହି ଗିରଫଙ୍କ ମଧ୍ୟରେ ଗୁଜୁରାଟରୁ୨ ଜଣ ଏବଂ ଦିଲ୍ଲୀ ଏବଂ ନୋଏଡାରୁ ଜଣେ ଲେଖାଏଁ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଚାରି ଜଣ ଆତଙ୍କବାଦୀଙ୍କ ବୟସ୨୦ ରୁ ୨୫ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ରହିଛି ।
ଅନାସ୍ଥା ଆଣିବ ବିରୋଧୀ
ବିଧାନସଭାର ମୌସୁମୀ ଅଧିବେଶନରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ ରାଜ୍ୟ କଂଗ୍ରେସ। ଏହାକୁ ନେଇ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଘୋଷଣା କରିଛନ୍ତି। ତେବେ ବିଜେଡି ଏହି ପ୍ରସ୍ତାବକୁ ସମର୍ଥନ କରିବ କି ନା ତାହା ସ୍ପଷ୍ଟ କରି ନାହିଁ। ପ୍ରଥମେ ମୌସୁମୀ ଅଧିବେଶନର ତାରିଖ ସ୍ଥିର ଓ ପରେ ଏ ବାବଦରେ ବିଧାୟକ ଦଳ ନିଷ୍ପତ୍ତି ନେବ ବୋଲି ଦଳର ବରିଷ୍ଠ ଉପସଭାପତି କହିଛନ୍ତି। ବାଲେଶ୍ୱର ଘଟଣାକୁ ନେଇ କଂଗ୍ରେସ ଏପରି ପଦକ୍ଷେପ ନେବାକୁ ଯାଉଛି।
୨୮ ଜୁଲାରୁ ଅପରେସନ ସିନ୍ଦୁର ଉପରେ ଚର୍ଚ୍ଚା
୨୮ ଜୁଲାଇରୁ ଆରମ୍ଭ ହେବ ସଂସଦରେ ଅପରେସନ୍ ସିନ୍ଦୂର ଚର୍ଚ୍ଚା। ଆଜି କାର୍ଯ୍ୟ ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୩୨ ଘଣ୍ଟାର ଏହା ମହାବିତର୍କ ହେବ ବୋଲି କୁହାଯାଉଛି। ଉଭୟ ଗୃହରେ ୧୬ ଘଣ୍ଟା ଲେଖାଏଁ ବିତର୍କ ପାଇଁ ସମୟ ସ୍ଥିର କରାଯାଇଛି। ପୂର୍ବରୁ ରାଜ୍ୟସଭାରେ ୯ ଘଣ୍ଟାର ବିତର୍କ ପାଇଁ ସ୍ଥିର କରାଯାଇଥିଲା।
ପୁଣି ଏକ ବିମାନ ଦୁର୍ଘଟଣା
ଇଟାଲୀରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ହାଇୱେରେ ଅନେକ ଯାନବାହନ ଚାଲୁଛି। ଅନେକ ବଡ଼ ଯାନବାହନ ମଧ୍ୟ ସେହି ରାସ୍ତା ଦେଇ ଯାଉଛି। ଏହି ସମୟରେ ଏକ ଛୋଟ ବିମାନ ଆସି ରାସ୍ତାରେ ନିଆଁ ପିଣ୍ଡୁଳା ସାଜି ଖସି ପଡିଥିଲା। ରାସ୍ତାରେ ପଡ଼ିବା ମାତ୍ରେ ବିମାନଟି ନିଆଁର ପିଣ୍ଡୁଳା ପାଲଟିଯାଇଥିଲା।