Top 10 News Today: ଓଡ଼ିଶାରେ ବଡ଼ ବର୍ଷା, ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଓ ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2772235

Top 10 News Today: ଓଡ଼ିଶାରେ ବଡ଼ ବର୍ଷା, ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଓ ସକାଳର ୧୦ ବଡ଼ ଖବର

Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର

Top 10 News Today: ଓଡ଼ିଶାରେ ବଡ଼ ବର୍ଷା, ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଓ ସକାଳର ୧୦ ବଡ଼ ଖବର

ମହଙ୍ଗା ପଡିଲା ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା, ଭିଡିଓ ଭାଇରାଲ କରି ୨ ଓଡ଼ିଆ ଯୁବକ ଗିରଫ
‘ପାକିସ୍ତାନ ଜିନ୍ଦାବାଦ୍, ପାକିସ୍ତାନ ଜିନ୍ଦାବାଦ’ କହିବା ଏବଂ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ଭୁବନେଶ୍ବର-କଟକ କମିସନରେଟ୍ ପୁଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ସୌରଭ କୁମାର ସାହୁ (୨୭) ଓ  ଗୌତମ ଲେଙ୍କା (୨୮)। ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ପହଲଗାମରେ ଗତମାସ ୨୨ ତାରିଖରେ ଆତଙ୍କବାଦୀ ଆକ୍ରମଣ ଏବଂ ଭାରତୀୟ ସେନାର ‘ଅପରେସନ୍ ସିନ୍ଦୂର’ ଯେଗୁଁ ପାକିସ୍ତାନ ଓ ପାକ୍ ଅଧିକୃତ କଶ୍ମୀରରେ ଆତଙ୍କବାଦୀ ୯ଟି ଆତଙ୍କବାଦୀ ଶିବିର ଧ୍ବଂସ ହେଲା ପରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ଭଳି ଏକ ଘଡ଼ିସନ୍ଧି ସମୟରେ ଦୁଇ ଜଣ ଓଡ଼ିଆ ଯୁବକ ପାକିସ୍ତାନର ଗୁଣଗାଡ଼ କରିଛନ୍ତି, ଯାହାକି ସେମାନଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି।

କେରଳ ଛୁଇଁଲା ମୌସୁମୀ: ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି। କେରଳ ସମେତ କର୍ଣ୍ଣାଟକ, ତାମିଲନାଡୁ ଓ ମିଜୋରାମର କିଛି ଅଞ୍ଚଳକୁ ମଧ୍ୟ ଅଗ୍ରସର ହୋଇଛି ଫଳରେ ଦକ୍ଷିଣ ଭାରତରେ ମୌସୂମୀ ବର୍ଷା ଆରମ୍ଭ ହୋଇଛି। ସେହିପରି ଓଡ଼ିଶାରେ ମଧ୍ୟ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି। ବାଦଲ ସମୂହର ଗତି ପଶ୍ଚିମ/ଉତ୍ତରପଶ୍ଚିମ ନୁହେଁ, ବରଂ ସମୁଦ୍ରରୁ ସ୍ଥଳଭାଗ ମୁହାଁ ହୋଇଛି। ଉତ୍ତର ଉପକୂଳ ଓଡ଼ିଶା ଓ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୩.୧ କିମି ଉଚ୍ଚରେ ସକ୍ରିୟ ଘୂର୍ଣ୍ଣିବଳୟ ରହିଛି।

ଓଡ଼ିଶାରେ ବଡ଼ ବର୍ଷା
ପ୍ରାକ ମୌସୂମୀ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶା ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ବର୍ଷାର ବିସ୍ତୃତି ବଢ଼ିବା ସହ କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଭଦ୍ରକ, କଟକ, ଯାଜପୁର, କେନ୍ଦ୍ରପଡ଼ା ଓ ଜଗତ୍‌ସିଂହପୁର ଆଦି ଜିଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। 

ଜାତିସଂଘରେ ସ୍ପଷ୍ଟୀକରଣ ରଖିଲା ଭାରତ: ସିନ୍ଧୁ ଚୁକ୍ତିକୁ ଭାରତ ନୁହେଁ, ପାକିସ୍ତାନ ଉଲ୍ଲଂଘନ କରିଛି
ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବାକୁ ଭାରତର ନିଷ୍ପତ୍ତି ଏକ ସୁଚିନ୍ତିତ ପ୍ରକ୍ରିୟାର ପରିଣାମ ବୋଲି ଶୁକ୍ରବାର ଭାରତ ଜାତିସଂଘରେ କହିଛି। ୧୯୬୦ ଜଳ ବଣ୍ଟନ ଚୁକ୍ତିକୁ ଭାରତ ନୁହେଁ, ପାକିସ୍ତାନ ଉଲ୍ଲଂଘନ କରିଛି ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ପର୍ବଥାନେନୀ ହରିଶ ସିନ୍ଧୁ ଜଳ ଚୁକ୍ତି ସମ୍ପର୍କରେ ପାକିସ୍ତାନୀ ପ୍ରତିନିଧି ଦଳ ଦ୍ୱାରା ପ୍ରସାରିତ ଭୁଲ ସୂଚନାକୁ ପ୍ରତ୍ୟାଖ୍ୟାନ କରି ଏହି ଚୁକ୍ତିକୁ ସ୍ଥଗିତ ରଖିବାର ପ୍ରମୁଖ କାରଣ ଉପରେ ଆଲୋକପାତ କରିଛନ୍ତି। ଏଥିରେ ପହଲଗାମ ଆକ୍ରମଣ ସମେତ ବାରମ୍ବାର ସୀମାପାର ଆତଙ୍କବାଦର ଉଦାହରଣ ମଧ୍ୟ ରଖିଛନ୍ତି। 

ଶିକାରୀଙ୍କ ଗୁଳିରେ ଫରେଷ୍ଟର୍‌ ମୃତ: ୪ ଶିକାରୀ ଗିରଫ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ଅଧୀନସ୍ଥ ଜଙ୍ଗଲରେ ଶୁକ୍ରବାର ବିଳମ୍ବିତ ରାତିରେ ଶିକାରୀଙ୍କ ଗୁଳିରେ ଜଣେ ଫରେଷ୍ଟର୍‌ଙ୍କ ମୃତ୍ୟୁ ‌ହୋଇଯାଇଛି। ମୃତ ଫରେଷ୍ଟର୍‌ ପ୍ରହଲ୍ଲାଦ ପ୍ରଧାନ ଓ ତାଙ୍କ ନିଜ ଘର କାମାକ୍ଷାନଗର ବ୍ଲକ୍‌ ଜିରିଡ଼ାମାଳି ଗ୍ରାମରେ ବୋଲି ଜଣାପଡ଼ିଛି। ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପିସିସିଏଫ୍‌ଙ୍କୁ ନିର୍ଦ୍ଦେଶ ଦେବା ସହ ୩୦ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ସେପଟେ ଏହି ଘଟଣାରେ ୪ ଜଣ ଶିକାରୀ ଗିରଫ ହୋଇଥିବା ନେଇ ସୂଚନା ରହିଛି। 

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସ ପୋଷ୍ଟରେ ଏହା ଉଲ୍ଲେଖ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ ‌ଉଲ୍ଲେଖ କରିଛନ୍ତି ଯେ, ‘ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ‌ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ‌ଜଗତ ପ୍ରକାଶ ନଡ୍ଡାଙ୍କୁ ମଧ୍ୟ ଭେଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। 

ଦିଲ୍ଲୀରେ ବସିଲା ନିତି ଆୟୋଗ ୧୦ମ ଗଭର୍ଣ୍ଣିଂ କାଉନ୍‌ସିଲ୍  ବୈଠକ
ଦିଲ୍ଲୀରେ ଆୟୋଜିତ ହୋଇଯାଇଛି ନିତି ଆୟୋଗର ଗୁରୁତ୍ବପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗର ଦଶମ ଗଭର୍ଣ୍ଣିଂ କାଉନ୍‌ସିଲ୍ ବୈଠକ ଦିଲ୍ଲୀ ପ୍ରଗତି ମଇଦାନ ସ୍ଥିତ ଭାରତ ମଣ୍ଡପମ୍‌ରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିକଶିତ ଭାରତ ଉପରେ ଗୁରୁତ୍ବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଦେଶର ବିକାଶ ପାଇଁ ଆମକୁ ଟିମ୍ ଇଣ୍ଡିଆ ଭଳି କାମ କରିବାକୁ ହେବ। ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ ନିଜ ନିଜ ରାଜ୍ୟରେ ଗୋଟିଏ ଗୋଟିଏ ପର୍ଯ୍ୟଟନ କ୍ଷେତ୍ରକୁ ବିକାଶ କରିବେ । ଭାରତରେ ଦ୍ରୁତ ଗତିରେ ସହରୀକରଣ ହେଉଛି ବୋଲି ମୋଦୀ କହିଛନ୍ତି । ଆଜିର ବୈଠକରେ କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାଁନ୍ତି । 

ଦିଲ୍ଲୀ-ଏନ୍‌ସିଆର୍‌ରେ ବଦଳିଲା ପାଗ, ଝଡ଼ତୋଫାନ ସହ ପ୍ରବଳ ବର୍ଷିଲା
ଦିଲ୍ଲୀ-ଏନ୍‌ସିଆର୍‌ରେ ବଦଳିଲା ପାଗ, ଝଡ଼ତୋଫାନ ସହ ପ୍ରବଳ ବର୍ଷିଲା। ରାଜଧାନୀ ବାସୀଙ୍କ ଜନଜୀବନ ବର୍ଷାରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା କାରଣରୁ ଟ୍ରାଫିକ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ବେଳେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଛି ।  ଇନ୍ଦିରାଗାନ୍ଧୀ ଏୟାରପୋର୍ଟରେ ୧ନଂ ଟର୍ମିନାଲରେ ପାଣି ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ । ଲଗାଣ ବର୍ଷା କାରଣରୁ ମୋଟ ୨୫ଟି ବିମାନର ଗତିପଥକୁ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି । 

X ଅଚଳ, ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ
ଶନିବାର ସନ୍ଧ୍ୟାରେ ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ କୋଟିପତି ଶିଳ୍ପପତି ଏଲୋନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ X (ପୂର୍ବରୁ ଟ୍ୱିଟର) ହଠାତ୍ କାମ କରିବା ବନ୍ଦ କରିଦେଇଛି। X ର ଏହି ବିଭ୍ରାଟ ଲକ୍ଷ ଲକ୍ଷ ଉପଭୋକ୍ତାଙ୍କୁ ପ୍ରଭାବିତ କରିଥିଲା, ଯେଉଁମାନେ ନା ସେମାନଙ୍କର ଫିଡ୍ ଦେଖିପାରିଲେ ନା କିଛି ନୂଆ ପୋଷ୍ଟ କରିପାରିଲେ। X ରେ କଣ୍ଟେଣ୍ଟ ଲୋଡ୍ ହେଉନଥିଲା ଏବଂ ଲଗଇନ୍ ପରେ ଉପଭୋକ୍ତାମାନେ ଏକ ଖାଲି ସ୍କ୍ରିନ୍ ଦେଖୁଥିଲେ।

ଶୁବମନ ଗିଲ ଅଧିନାୟକ
ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ବିସିସିଆଇ ଚୟନ କମିଟି ଘୋଷଣା କରିଛି। ଏହା ସମେତ ଚୟନ କମିଟି ଦଳର ନୂତନ ଅଧିନାୟକ ଏବଂ ଉପ-ଅଧିନାୟକଙ୍କୁ ମଧ୍ୟ ଚୟନ କରିଛନ୍ତି। ରୋହିତ ଶର୍ମାଙ୍କ ଅବସର ପରେ ଖାଲି ପଡ଼ିଥିବା ପଦବୀରେ ଶୁବମନ ଗିଲଙ୍କୁ ଅଧିନାୟକ କରାଯାଇଛି ଏବଂ ରିଷଭ ପନ୍ତଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି।

;