Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ବଢିଲା ସରକାରୀ ଚାକିରି ଆବେଦନର ବୟସ ସୀମା
ବଢିଲା ଆବେଦନ ବୟସ ସୀମା। ଏବେ ୩୨ ନୁହେଁ, ୪୨ ବର୍ଷ ବୟସ ପର୍ଯ୍ୟନ୍ତ ଆବେଦନ କରିପାରିବେ ଚାକିରି ଆଶାୟୀ। ବୁଧବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଆବେଦନ ବୟସ ବୃଦ୍ଧି ଦାବି ଉପରେ ମୋହର ମାରିଛନ୍ତି । କୁହାଯାଇଛି ବିଭିନ୍ନ ସରକାରୀ ପଦପଦବି ଓ ସେବାରେ ପ୍ରବେଶ ପାଇଁ ସର୍ବୋଚ୍ଚ ବୟସସୀମା ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୩୨ ବର୍ଷ ରହିଥିବା ବେଳେ ଏହା ୪୨ ବର୍ଷ ବୟସକୁ ବୃଦ୍ଧି କରାଯାଇଛି। ତେବେ ପୋଲିସ, ଜଙ୍ଗଲ, ଅବକାରୀ, ଅଗ୍ନିଶମ ଇତ୍ୟାଦି ୟୁନିଫର୍ମ ସେବା (ଯେଉଁଠାରେ ଶାରୀରିକ ଦକ୍ଷତା ପରୀକ୍ଷା ରହିଥାଏ) କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ । କେବଳ ସେତିକି ନୁହେଁ, ଏସ୍ସି, ଏସ୍ଟି, ପଛୁଆବର୍ଗ, ମହିଳା, ଭିନ୍ନକ୍ଷମ ବ୍ୟକ୍ତି ଓ ଅବସରପ୍ରାପ୍ତ ସୈନିକଙ୍କ କ୍ଷେତ୍ରରେ ସରକାରଙ୍କ ଦ୍ବାରା ବିଭିନ୍ନ ସମୟରେ ଜାରି ହେଉଥିବା ନିୟମାବଳୀ ଅନୁସାରେ ସର୍ବୋଚ୍ଚ ବୟସସୀମା କୋହଳ ହେବ ବୋଲି ସୂଚନା ରହିଛି। ସୂଚନାଯୋଗ୍ୟ ଯେ ପୂର୍ବରୁ ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷ ଥିଲା। ଏହାକୁ ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରୁ ବହୁଦିନରୁ ଦାବି ହୋଇ ଆସୁଥିଲା ।
ରାଜ୍ୟ କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ବାଜିଲା ମୋହର
ରାଜ୍ୟ କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ମୋହର ବାଜିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ ବୈଠକ। ପ୍ରଥମ ପ୍ରସ୍ତାବ ଭାବେ ରାଜ୍ୟରେ ଏଆଇ ମିସନ୍ ଓ ଏଆଇ ସେଲ ଲାଗୁ ହେବ। ଜୋରନ୍ଦାରେ ମହିମା ଗାଦି ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ୧୭୧ କୋଟି ଟଙ୍କାର ଟେଣ୍ଡରକୁ ମଞ୍ଜୁରୀ ଦେଇଛନ୍ତି। ୩୬ ମାସ ମଧ୍ୟ ରେ କାର୍ଯ୍ୟ ଶେଷ କରିବାକୁ ନିର୍ଦେଶ ଦିଆଯାଇଛି । ରାଜ୍ୟରେ AI କୁ ସମ୍ପୂର୍ଣ୍ଣ ପ୍ରୋତ୍ସାହନ ଦିଆଯିବ। କ୍ୟାବିନେଟରେ AI ନୀତିକୁ ଅନୁମୋଦନ କରାଯାଇଛି । AI କ୍ଷେତ୍ରରେ ଷ୍ଟାଟଅପକୁ ପ୍ରୋତ୍ସାହନ ଦିଆଯିବ। ମଜବୁତ ହେବ ଓଡ଼ିଶା ଚକ୍ଷୁ ଚିକିତ୍ସା ସେବା, ଏଥିରେ ଅଧିକ ନିଯୁକ୍ତି ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଓଡ଼ିଶା ଛୁଇଁଲା ମୌସୁମୀ: ୧୫ ଦିନ ଆଗୁଆ ଆସିଲା
ସାଧାରଣତଃ ଜୁନ୍ ୧୨ ସୁଦ୍ଧା ରାଜ୍ୟକୁ ମୌସୁମୀର ଆଗମନ ହୋଇଥାଏ। ପାଖାପାଖି ୧୫ ଦିନ ପୂର୍ବରୁ ଆଜି ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ୧୫ ବର୍ଷ ପରେ ଏଥର ମୌସୁମୀ ଓଡ଼ିଶାକୁ ଏତେ ଶୀଘ୍ର ଆସିଥିବା ପାଣିପାଗ ବିଜ୍ଞାନୀମାନେ କହିଛନ୍ତି। ପାଣିପାଗର ଇତିହାସ କହୁଛି, ଶେଷ ଥର ୧୯୯୯ ମସିହା ମେ’ ୨୮ରେ ଓ ୨୦୦୯ ମସିହା ମେ’ ୨୫ରେ ମୌସୁମୀ ରାଜ୍ୟକୁ ଛୁଇଁଥିଲା। ଆଜି ପ୍ରଥମ ଦିନରେ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ଆଚ୍ଛାଦିତ କରିଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଓ ଗଜପତି ଜିଲ୍ଲାର କିଛି କିଛି ଅଞ୍ଚଳରେ ଏହା ସକ୍ରିୟ ହୋଇଛି।
ଆଜି ଅବପାତରେ ପରିଣତ ହେବ ଲଘୁଚାପ: ୨ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା
ଆଜି ଅବପାତରେ ପରିଣତ ହେବ ଲଘୁଚାପ। ଏହା ଉତ୍ତର ଦିଗରେ ଗତି କରିବ। ପ୍ରଭାବରେ ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆଜି ବାଲେଶ୍ବର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାବେଳେ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସେହିପରି ଅନ୍ୟ ଅଞ୍ଚଳ ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି। ସମୁଦ୍ର ଅଶାନ୍ତ ଥିବାରୁ ଆସନ୍ତାକାଲି ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା। ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି।
ପାଟଣାଗଡ଼ ପାର୍ସଲ ବୋମା: ପୁଞ୍ଜିଲାଲକୁ ଆଜୀବନ ଜେଲ
୧୯୫ ଥର ଶୁଣାଣି ଏବଂ ଦୀର୍ଘ ୭ ବର୍ଷର ଆଇନଗତ କସରତ ପରେ ବୁଧବାର ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ରାୟ ପ୍ରକାଶ ପାଇଛି। ମାମଲାର ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେରକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଟଣାଗଡ଼ ଏଡିଜେ କୋର୍ଟ। ତାକୁ ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ୪୦ ହଜାର ଟଙ୍କା ଜରିମାନା ହୋଇଛି। ଆଜି ସକାଳେ ପୁଞ୍ଜିଲାଲ୍କୁ କଡ଼ା ସୁରକ୍ଷା ବଳୟରେ ବଲାଙ୍ଗୀର ଜିଲ୍ଲା କାରାଗାରରୁ ପାଟଣାଗଡ଼ ଏଡିଜେ କୋର୍ଟକୁ ଅଣାଯାଇଥିଲା। କୋର୍ଟରେ ଉଭୟ ଅଭିଯୁକ୍ତ ଓ ପୀଡ଼ିତଙ୍କ ଓକିଲଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ଦିନ ୧୧ଟାରେ ପୁଞ୍ଜିଲାଲ୍କୁ କୋର୍ଟରେ ହାଜର କରାଯାଇଥିଲା। ପାଖାପାଖି ସାଢ଼େ ୧୧ଟାରେ ପୁଞ୍ଜିଲାଲ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।
ବଢିଲା ଧାନର ଏମଏସପି ଦର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଚାଷୀଙ୍କ ପାଇଁ ଦୁଇଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଧାନ ସମେତ ୧୪ ପ୍ରକାର ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି ପ୍ରସ୍ତାବକୁ ବୈଠକରେ ମଞ୍ଜୁର କରାଯାଇଛି। ଏଥି ସହିତ କିଷାନ କ୍ରେଡିଟ୍ କାର୍ଡ (କେସିସି) ଜରିଆରେ ଚାଷୀମାନେ ନେଉଥିବା ଋଣ ଉପରେ ୧.୫ ପ୍ରତିଶତ ସୁଧ ରିହାତି ସ୍କିମ୍କୁ ୨୦୨୫-୨୬ରେ ମଧ୍ୟ ଜାରି ରଖିବାକୁ ବୈଠକରେ ଅନୁମୋଦନ ପ୍ରଦାନ କରାଯାଇଛି।
ଚୀନକୁ ଆଉ ଏକ ଝଟକା ଦେଲେ ଟ୍ରମ୍ପ
ଆମେରିକା ବୁଧବାର ଦିନ ଚୀନ୍ ଛାତ୍ରଙ୍କ ଭିସା ବାତିଲ କରିବାକୁ ଘୋଷଣା କରିଛି। ଏଥିରେ କମ୍ୟୁନିଷ୍ଟ ପାର୍ଟି ସହିତ ସମ୍ପର୍କ ରଖିଥିବା ଛାତ୍ରମାନେ ମଧ୍ୟ ସାମିଲ ହେବେ। ସେହିପରି ଆମେରିକା ସରକାର ବିଦେଶୀ ଛାତ୍ରଙ୍କ ପାଇଁ ନୂତନ ଭିସା ସାକ୍ଷାତକାର ଉପରେ ରୋକ ଲଗାଇଛନ୍ତି। ବିଦେଶ ମନ୍ତ୍ରୀ ମଙ୍ଗଳବାର ଏ ସମ୍ପର୍କରେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି। ସୋସିଆଲ ମିଡିଆରେ ଆମେରିକୀୟ ନାଗରିକଙ୍କ ପୋଷ୍ଟ ସେନ୍ସର କରୁଥିବା ଲୋକଙ୍କ ଉପରେ ସରକାର ଭିସା ପ୍ରତିବନ୍ଧକ ଘୋଷଣା କରିଛନ୍ତି। ଏହି ନିଷ୍ପତ୍ତି ନେଇଥିବା ଆମେରିକା ପ୍ରଥମ ଦେଶ। ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଯଦି କୌଣସି ବିଦେଶୀ ଅଧିକାରୀ ଗିରଫ କିମ୍ବା ଦଣ୍ଡର ଧମକ ଦେଇ ତାଙ୍କ ଦେଶରେ ଆମେରିକୀୟ ନାଗରିକଙ୍କ ପୋଷ୍ଟ ସେନ୍ସର କରନ୍ତି, ତେବେ ଏହାକୁ ଗ୍ରହଣ କରାଯିବ ନାହିଁ। ଏହା ସହିତ, ଆମେରିକୀୟ ଟେକ୍ ପ୍ଲାଟଫର୍ମରେ ବିଷୟବସ୍ତୁ ହଟାଇବା ପାଇଁ ଦାବି କରୁଥିବା ଅଧିକାରୀଙ୍କ ଭିସା ପ୍ରତିବନ୍ଧକ ଲଗାଯିବ।
ମଣିପୁରରେ ସରକାର ଗଠନ କରିବ ବିଜେପି ସରକାର!
ମଣିପୁରରେ ସତ୍ତାକୁ ନେଇ ହଲଚଲ । ଆପଣମାନେ ଜାଣିଛନ୍ତି ଯେ, ମଣିପୁରରେ ଏବେ ରାଷ୍ଟ୍ରପତି ଶାସନ ଜାରି ରହିଛି । ହେଲେ ଏହାରି ଭିତରେ କିନ୍ତୁ ବିଜେପି ସେଠାରେ ପୁଣିଥରେ ସରକାର ଗଠନ କରିବାକୁ ଅଣ୍ଟା ଭିଡ଼ିଛି । ବୁଧବାର ଦ୍ୱି-ପହରରେ ଏନଡିଏର ୪୪ ଜଣ ବିଧାୟକଙ୍କ ସମର୍ଥନ ନେଇ କିଛି ବିଧାୟକ ରାଜ୍ୟପାଳ ଅଜୟ ଭଲ୍ଲାଙ୍କୁ ଭେଟିଛନ୍ତି, ଆଉ ମଣିପୁରରେ ସରକାର ଗଠନ କରିବାକୁ ଦାବି କରିଛନ୍ତି ।
ପୁରୀରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ
ଦୁଇଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ । ଭୁବନେଶ୍ୱର ବିମାନ ବନ୍ଦରରେ ଓହ୍ଲାଇବା ପରେ ସଡ଼କ ପଥରେ ପୁରୀ ଯାଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ । ସେଠାରେ ସେ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହ ଅଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଆଜି ବିକଶିତ କୃଷି ସଂକଳ୍ପ ଅଭିଯାନରେ ସାମିଲ ହେବେ କେନ୍ଦ୍ର କୃଷିମନ୍ତ୍ରୀ ।
ଟ୍ରମ୍ପ ସରକାରରୁ ଇସ୍ତଫା ଦେଲେ ମସ୍କ
ଭାଙ୍ଗିଲା ଟ୍ରମ୍ପ ଓ ମସ୍କ ଯୋଡ଼ି । ଆମେରିକା ସରକାରରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଏଲନ ମସ୍କ । ଟ୍ରମ୍ପ ସରକାରରେ ଡିଓଜିଇ ମୁଖ୍ୟ ଭାବେ ଦାୟିତ୍ବ ସମ୍ଭାଳୁଥିବା ମସ୍କ ଅଚାନକ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ନିଜ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ସୂଚନା ଦେଇଛନ୍ତି ମସ୍କ । ସେ କହିଛନ୍ତି, ଆମେରିକା ସରକାରରେ ବିଶେଷ କର୍ମଚାରୀ ଭାବେ ମୋର କାର୍ଯ୍ୟକାଳ ଶେଷ ହୋଇଛି । ଅଯଥା ଖର୍ଚ୍ଚ କମାଇବାକୁ ସୁଯୋଗ ଦେଇଥିବାରୁ ଟ୍ରମ୍ପଙ୍କୁ ଧନ୍ୟବାଦ ଦେବାକୁ ଚାହୁଛି । ସମୟ ସହ ଡିଓଜିଇ ବିଭାଗ ଆହୁରି ଶକ୍ତିଶାଳୀ ହେବ ।