Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ବିଜୟ ଉତ୍ସବରେ ଦଳାଚକଟା, ୧୧ ମୃତ
ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର IPL ଟାଇଟଲ୍ ବିଜୟ ପାଳନ କରିଥିଲା। ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ହଜାର ହଜାର ପ୍ରଶଂସକ ଯୋଗଦେବା ପାଇଁ ଧାଇଁ ଆସିବାରୁ ଦଳାଚକଟାରେ ୧୧ ଜଣଙ୍କର ମୃତ୍ୟୁ ଏବଂ ପ୍ରାୟ ୩୦ ଆହତ ହେବା ପରେ ଉତ୍ସବ ଶୋକରେ ପରିଣତ ହୋଇଥିଲା। ଖେଳାଳିଙ୍କ ସମ୍ବର୍ଦ୍ଧନା ଉତ୍ସବ ଷ୍ଟାଡିୟମ୍ ଭିତରେ ଜାରି ରହିଥିଲା। IPL ଅଧ୍ୟକ୍ଷ ଅରୁଣ ଧୂମାଲଙ୍କ ଅନୁଯାୟୀ, ଷ୍ଟାଡିୟମ୍ ଭିତରେ ଥିବା ଲୋକମାନେ ବାହାରେ ଘଟଣାର ବ୍ୟାପକତା ବିଷୟରେ ଅବଗତ ନଥିଲେ ଏବଂ ଯେତେବେଳେ ସେମାନେ ଏହା ଜାଣିବାକୁ ପାଇଲେ, ସେତେବେଳେ କାର୍ଯ୍ୟକ୍ରମକୁ ତୁରନ୍ତ ବନ୍ଦ କରିଦିଆଯାଇଥିଲା।
ଏକାଥରେ ନିଯୁକ୍ତ ହେବେ ୧୩ କୁଳପତି
ଉତ୍କଳ ସମେତ ଉଚ୍ଚଶିକ୍ଷା ବିଭାଗ ଅଧୀନ ରାଜ୍ୟର ୧୩ଟି ସରକାରୀ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଣେ ପ୍ରଫେସର ଏକାଥରେ ୧୩ଟି ଯାକ ବିଶ୍ବବିଦ୍ୟାଳୟ ପାଇଁ କ୍ରମାନ୍ବୟରେ ଆବେଦନ କରିପାରିବେ। ଯେଉଁ ଯୋଗ୍ୟ ପ୍ରଫେସରମାନେ ଆବେଦନ କରିବେ ସେମାନଙ୍କ ବୟସ ୨୦୨୫ ଡିସେମ୍ବର ୧ ସୁଦ୍ଧା ୬୬ ବର୍ଷରୁ କମ୍ ହେଉଥିବା ଆବଶ୍ୟକ। ଆବେଦନକାରୀଙ୍କର ୧୦ ବର୍ଷର ପ୍ରଫେସର ଅଭିଜ୍ଞତା ଏବଂ ଯଥେଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଦକ୍ଷତା ରହିଥିବା ନିତ୍ୟାନ୍ତ ଆବଶ୍ୟକ। ବିଶ୍ବବିଦ୍ୟାଳୟ ବ୍ୟତୀତ ଅନ୍ୟାନ୍ୟ ଗବେଷଣାଭିତ୍ତିକ ଅନୁଷ୍ଠାନରେ ଗବେଷକ ବା ବୈଜ୍ଞାନିକ ହିସାବରେ ୧୦ ବର୍ଷର ଅଭିଜ୍ଞତା ଓ ପ୍ରଫେସର ବର୍ଗର ସମାନ ପଦରେ ରହିଥିବେ।
୫ ଟନ୍ ଲୁଟ୍ ବିସ୍ଫୋରକ ମଧ୍ୟରୁ ୩.୮ ଟନ୍ ଜବତ
ବିସ୍ଫୋରକ ଗୋଦାମ ମାଲିକଙ୍କ ଦାୟିତ୍ଵହୀନତା ଏବଂ ଅନ୍ୟତ୍ର ପରିବହନ ବେଳେ SOP ପାଳନରେ ସାଂଘାତିକ ତ୍ରୁଟି ହିଁ ସୁହାଇଲା ମାଓବାଦୀଙ୍କୁ। ଶେଷରେ ଅତି ଆରାମରେ ସରଣ୍ଡା ଜଙ୍ଗଲରୁ ଝାରଖଣ୍ଡ ଜଙ୍ଗଲକୁ ମାଓବାଦୀ ଲୁଟିନେଇଥିଲେ ପ୍ରାୟ ୫ଟନ୍ ବିସ୍ପୋରକ ସାମଗ୍ରୀ। ଯାହାକୁ ଉଦ୍ଧାର କରିବା ପାଇଁ ନାକେଦମ୍ ହୋଇଥିଲେ ସୁରକ୍ଷା କର୍ମୀ। ଇତିମଧ୍ୟରେ ୩. ୮ ଟନ୍ ଜବତ ହୋଇଥିବା ବେଳେ ଡିଜିପି କହିଛନ୍ତି, ବଳକା ଲୁଟ୍ ବିସ୍ଫୋରକ ଉଦ୍ଧାର ପାଇଁ ଅପରେସନ୍ ଜାରି ରହିଛି। ଅପରପକ୍ଷେ ଏହି ବିସ୍ଫୋରକ ସାମଗ୍ରୀର ମାଲିକ ଶ୍ରବଣ ଅଗ୍ରୱାଲଙ୍କ ଖୋଲୁଛି ଗୁମର। ଯିଏ ପତ୍ନୀ ସହ ମିଶି ଚଳାଇଛନ୍ତି ବିସ୍ଫୋରକ ସାମଗ୍ରୀର ବେପାର ।
ଅଭିନେତା ଅଶୃମୋଚନ ଅସୁସ୍ଥ
ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ବରିଷ୍ଠ ଅଭିନେତା ଅଶୃମୋଚନ ମହାନ୍ତି ହଟାତ ଅସୁସ୍ଥ ହୋଇ ପଡିଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଏବେ ସେ ସୁସ୍ଥ ଥିବା ଜଣାପଡିଛି। ସୂଚନା ମୁତାବକ ବୁଧବାର ସନ୍ଧ୍ୟାରେ ଜଣେ ବ୍ୟକ୍ତିଙ୍କୁ ଭେଟିବା ପାଇଁ ସ୍କୁଟିରେ ପୁରୁଣା ଭୁବନେଶ୍ୱର ଯାଉଥିଲେ। ମାଉସୀ ମା ମନ୍ଦିର ବ୍ରିଜ ପାଖ ଛକରେ ହଟାତ ତାଙ୍କ ମୁଣ୍ଡ ବୁଲାଇ ଅସୁସ୍ଥ ଲାଗିବାରୁ ସେ ପଡିଯାଇଥିଲେ। ଏହା ପରେ ପାଖ ଡାକ୍ତରଖାନା ଯାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ପ୍ରାଥମିକ ଚିକିତ୍ସା କରାଇ ଘରକୁ ଫେରିଥିବା ଜଣାପଡିଛି।
୨୦୨୭ ମାର୍ଚ୍ଚ ପହିଲାରୁ ଜନଗଣନା
୧ ମାର୍ଚ୍ଚ ୨୦୨୭ରୁ ଦେଶବ୍ୟାପୀ ଜନଗଣନା କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ସାତ ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ଜାତିଗତ ଗଣନା କରାଯିବ ବୋଲି ସରକାର ବୁଧବାର ଘୋଷଣା କରିଛନ୍ତି। ଜନଗଣନା ଆଇନ-୧୯୪୮ ଏବଂ ଜନଗଣନା ନିୟମ-୧୯୯୦ ଅଧୀନରେ ଦୁଇଟି ପର୍ଯ୍ୟାୟରେ ଜନଗଣନା କରାଯିବ। ଗତ ଏପ୍ରିଲ ୩୦ ତାରିଖରେ ଅନୁଷ୍ଠିତ ରାଜନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଜନଗଣନା ପ୍ରକ୍ରିୟାରେ ଜାତିଗତ ତଥ୍ୟ ଅନ୍ତର୍ଭୁକ୍ତ କରିବା ନିଷ୍ପତ୍ତି ନିଆଯାଇଥିବା ନେଇ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଥିଲେ।
ରାଜ୍ୟରେ ବଢୁଛି କରୋନା ମାମଲା : ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ
ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇ ହସ୍ପିଟାଲରୁ ଘରକୁ ଫେରିଛନ୍ତି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୯ ରହିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା କରୋନାରେ ଜଣକ ଜୀବନ ଯାଇଥିବା ଅଭିଯୋଗ ହୋଇଛି । ହେଲେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ସରକାରୀ ଭାବେ ଘୋଷଣା କରାଯାଇନାହିଁ । ଏହାଛଡ଼ା କରୋନାକୁ ନେଇ ରାଜ୍ୟରେ କୌଣସି ନିର୍ଦ୍ଦେଶାବଳୀ ଜାରି ହୋଇନାହିଁ । ୨୦୨୨ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶାବଳୀ ଅନୁସାରେ ସବୁକିଛି ଜାରି ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
୧୨ଟି ଦେଶର ନାଗରିକଙ୍କ ଉପରେ ଆମେରିକାର କଟକଣା
ପୁଣି ବିଦେଶ ନାଗରିକଙ୍କ ପାଇଁ ଆମେରିକାରେ କଟକଣା। ୧୨ଟି ଦେଶର ନାଗରିକଙ୍କୁ ଆମେରିକା ପ୍ରବେଶ ମନା। ଏନେଇ ନୂଆ ଘୋଷଣାପତ୍ର ଜାରି କଲା ଟ୍ରମ୍ପ୍ ପ୍ରଶାସନ। ଆମେରିକାର ଜାତୀୟ ସୁରକ୍ଷା ଦୃଷ୍ଟିରୁ ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ରହିଛି। ତେବେ ଏହି ଦେଶଗୁଡିକ ହେଉଛି ଆଫଗାନିସ୍ତାନ, ମିଆଁମାର, ଇରାନ, ଲିବିୟା, ସୋମାଲିଆ, ସୁଡାନ, ୟେମେନ, ହୈତି, ବର୍ମା, ଚାଡ୍, କଙ୍ଗୋ ଗଣରାଜ୍ୟ, ଇକ୍ୱାଟୋରିଆଲ୍ ଗିନି, ଏରିଟ୍ରିଆ।
ଢେଙ୍କାନାଳରେ ୫୦ ହଜାର କୋଟିର ପ୍ରକଳ୍ପର ଶିଳାନ୍ୟାସ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଢେଙ୍କାନାଳରେ ପ୍ରାୟ ୫୦ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ପ୍ରାୟ ୧୮୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପ୍ରାୟ ୧୨୦ କୋଟି ଟଙ୍କା ବ୍ୟୟ ବରାଦରେ, ବାଜି ରାଉତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ତତ୍କାଳ ସେବାରେ ଇ-ଆଧାର ବାଧ୍ୟତାମୂଳକ
ଏଣିକି ତତ୍କାଳ ଟିକେଟରେ ଇ-ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ତତ୍କାଳ ଟିକେଟ କରିବା ବେଳେ ଇ ଆଧାର ଅଥେଣ୍ଟିକେସନ ଦେବା ଜରୁରୀ। ଯାହା ଜରୁରୀ ଆବଶ୍ୟକତା ସମୟରେ ପ୍ରକୃତ ଯାତ୍ରୀମାନଙ୍କୁ ବିଶେଷ ଭାବେ ସହାୟକ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ପ୍ରଦାନ କରିଛନ୍ତି।
ଆଗକୁ ଭୀଷଣ ଗରମ
ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବର୍ତ୍ତମାନ ଉଭାନ। ସଅଳ ରାଜ୍ୟକୁ ଛୁଇଁଥିଲେ ମଧ୍ୟ ଆଗକୁ ବଢୁନଥିବା କାରଣରୁ ରାଜ୍ୟରେ ବର୍ଷାରେ ଦେଖା ନାହିଁ।ଫଳରେ ତାପମାତ୍ରା ଅହେତୁକ ଭାବେ ବୃଦ୍ଧି ପାଇଛି। ଆଜିଠାରୁ ଅର୍ଥାତ ୫ ତାରିଖରୁ ତାପମାତ୍ରା ଭୟଙ୍କର ଭାବେ ବୃଦ୍ଧି ଘଟିବ। ଓଡ଼ିଶା ଓ ଏହାର ପଡ଼ୋଶୀ ରାଜ୍ୟ ଗୁଡିକରେ ସମସ୍ତ କେନ୍ଦ୍ରୀୟ ଓ ଉତ୍ତର ଭାରତରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ବହିପାରେ। ୭ ରୁ ୧୦ ତାରିଖ ଭିତରେ ତାତି ୪ ଡିଗ୍ରୀ ବଢିପାରେ। ୧୦ ରୁ ୧୨ ତାରିଖ ଭିତରେ ପଶ୍ଚିମ ଓ କେନ୍ଦ୍ରୀୟ ଓଡିଶାରେ ସର୍ବାଧିକ ତାପମାତ୍ରା ସ୍ୱାଭାବିକ ଠାରୁ ୮ ଡିଗ୍ରୀ ବୃଦ୍ଧି ପାଇପାରେ।