Top 10 News: ଚୁଟକୀରେ ପଢିନିଅନ୍ତୁ ସକାଳର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
Trending Photos
ଆଜି ନିଳାଦ୍ରୀବିଜେ
ଆଜି ମହାପ୍ରଭୁ ନବଦିନାତ୍ମକ ଯାତ୍ରା ସାରି ନିଳକନ୍ଦରକୁ ବିଜେ କରିବେ। ମହାଲକ୍ଷ୍ମୀ ଓ ମହାପ୍ରଭୁଙ୍କ ମଧ୍ୟରେ ବଚନିକା ହେବ। ରସଗୋଲା ଖୋଇ ମହାପ୍ରଭୁ ଲକ୍ଷ୍ମୀ ଠାକୁରାଣୀଙ୍କୁ ମାନଭଞ୍ଜନ କରିବେ। ଏହାକୁ ନେଇ ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସୁଦର୍ଶନ ପଟ୍ଟନାୟକ ପୁରୀ ନିଳାଦ୍ରୀ ବେଳାଭୂମିରେ ଗଢ଼ିଛନ୍ତି ଏକ ଆକର୍ଷଣୀୟ ବାଲୁକା କୃତୀ। ଏହି ବାଲୁକାକଳାରେ ମହାପ୍ରଭୁଙ୍କ ପ୍ରତିକୃତି ବେଶ୍ ଚମତ୍କାର ଦେଖାଯାଉଛି। ଆଜି ରସଗୋଲା ଦିବସ ହୋଇଥିବାରୁ ସୁଦର୍ଶନ ଏହି ବାଲୁକା କୃତୀ ରେ ପ୍ରାୟ ଶହେଟି ରସଗୋଲା ହାଣ୍ଡି ଇନଷ୍ଟଲ କରିଛନ୍ତି। ପବିତ୍ର ନିଳାଦ୍ରୀ ବିଜେ ଓ ରସଗୋଲା ଦିବସରେ ଏହି ବାଲୁକା କୃତି ଜରୀଆରେ କୋଟିକୋଟି ଭକ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
ସରିଲା ରତ୍ନଭଣ୍ଡାର ମରାମତି
ମହାପ୍ରଭୁଙ୍କ ଅପାର କରୁଣା ,ଆଶୀର୍ବାଦ ଯୋଗୁଁ ଧାର୍ଯ୍ୟ ନୀଳାଦ୍ରି ବିଜେ ପୂର୍ବରୁ ଉଭୟ ଭିତର ଓ ବାହାର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଶେଷ ହୋଇଛି ।ସର୍ବ ନିମ୍ନରେ ଏହା ଆସନ୍ତା ୨୦୦ ବର୍ଷ ପାଇଁ ସଂରକ୍ଷିତ ।ମୋଟ ୯୫ ଦିନ ବା ୩୩୨ ଘଣ୍ଟା ୪୭ ମିନିଟ ଅର୍ଥ ୩୩୩ଦିନ କାର୍ଯ୍ୟ କରାଯାଇଛି। ପୁରୁଣା ବିମ୍ କୁ ମିଶାଇ ମୋଟ ୨୧ ଟି ବିମ ଲଗାଯାଇଛି। ଆଜି ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ ସମ୍ପୂର୍ଣ ସମାପ୍ତ ହୋଇଛି। ଗ୍ରାନାଇଟ ଚଟାଣ ନିର୍ମାଣ ସହ ଛାତରେ ୧୫ ଗୋଟି ସ୍ଟେନଲେସ ଷ୍ଟିଲ ଵିମ ଲଗାଯାଇଛି। ବର୍ମାଟିକ କାଠରେ ଦ୍ୱାର ହୋଇଥିବା ବେଳେ ବାହାର ଭଣ୍ଡାର ଘର ଦୁଆର ରୁପା ଛାଉଣୀ କରାଯିବ। ଗଜପତି ମହାରାଜାଙ୍କ ପ୍ରତିନିଧି ଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ କରାଯାଇଅଛି। ପ୍ରାଥମିକ ଭାବେ ଅସ୍ଥାୟୀ ଭଣ୍ଡାର ଘରୁ ରତ୍ନ ଗୁଡିକୁ ସ୍ଥାନନ୍ତର କରାଯିବ।
ଭଙ୍ଗାହେଲା ଅଧରପଣା ହାଣ୍ଡି; ତୃପ୍ତ ହେଲେ ଚଣ୍ଡୀଚାମୁଣ୍ଡା ଓ ଅସରରୀ
ସରିଲା ଶ୍ରୀଜିଉଙ୍କ ଅଧରପଣା ନୀତି । ୯ଟି ହାଣ୍ଡିରେ ପଣା କରାଯାଇ ଶ୍ରୀଜିଉଙ୍କୁ ଲାଗି ହେଲା । ଲାଗି ପରେ ଅଶରୀରୀଙ୍କ ତୃପ୍ତି ପାଇଁ ଭଙ୍ଗାଗଲା ହାଣ୍ଡି । ଦର୍ଶନ ସହ ମୁକ୍ତି ପାଇଁ ଘୁରି ବୁଲୁଥାନ୍ତି ଚଣ୍ଡୀଚାମୁଣ୍ଡା । ତୃପ୍ତ କରିବା ପାଇଁ ରଥାରୁଢ଼ ଶ୍ରୀବିଗ୍ରହଙ୍କ ପାଖରେ ଲାଗିହେଲା । ଆଉ ଗୋଟିଏ ଦିନ ପରେ ମହାପ୍ରଭୁ ନବଦିନାତ୍ମକ ଯାତ୍ରା ସାରି ରତ୍ନସିଂହାସନକୁ ବାହୁଡ଼ିବେ । ଆଜି ସକାଳେ ତିନି ରଥ ଉପରେ ମହାପ୍ରଭୁଙ୍କ ମଙ୍ଗଳଆଳତି ସରିବା ପରେ ଅନ୍ୟାନ୍ୟ ନୀତି ହୋଇଥିଲା । ତିନି ରଥରେ ଠାକୁର ମାନଙ୍କୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଛି।
ଆଜି ରସଗୋଲା ଦିବସ: ଜିଆଇ ମାନ୍ୟତାକୁ ୬ ବର୍ଷ
ଆଜି ହେଉଛି ରସଗୋଲା ଦିବସ। ୨୦୧୮ ଫେବ୍ରୁଆରି ୨୩ ତାରିଖରେ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଏବଂ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି ପକ୍ଷରୁ ‘ଓଡ଼ିଶା ରସଗୋଲା’ର ଜିଆଇ ମାନ୍ୟତା ଲାଗି ଆବେଦନ ହେଲା। ଏହାପରେ ଜିଓଗ୍ରାଫିକାଲ୍ ଇଣ୍ଡିକେସନ୍ସ ରେଜିଷ୍ଟ୍ରି ପକ୍ଷରୁ ୧୩ଟି ପ୍ରସଙ୍ଗ ଉପରେ ସ୍ପଷ୍ଟୀକରଣ ମଗାଯାଇଥିଲା। ଓଡ଼ିଶା ପକ୍ଷରୁ ତଥ୍ୟ ପ୍ରମାଣ ସହ ରସଗୋଲାର ଉତ୍ପତ୍ତି ଓଡ଼ିଶାରୁ ବୋଲି ସ୍ପଷ୍ଟ କରାଯାଇଥିଲା। ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ୨୦୧୯ ଜୁଲାଇ ୨୯ରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଲା।
ମନମୋହନ ସାମଲ ପୁଣି ବିଜେପି ରାଜ୍ୟ ସଭାପତି
ମନମୋହନ ସାମଲ ପୁଣି ଥରେ ଓଡ଼ିଶା ବିଜେପିର ସଭାପତି ହେବାକୁ ଯାଉଛନ୍ତି। ରାଜ୍ୟ ସଭାପତି ନିର୍ବାଚନ ପାଇଁ ଆଜି ନାମାଙ୍କନପତ୍ର ଦାଖଲ ହୋଇଥିବା ବେଳେ ମନମୋହନ ଏକମାତ୍ର ପ୍ରାର୍ଥୀ ଭାବେ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିର୍ବାଚନ ମଇଦାନରେ ସହମତି ଭିତ୍ତିରେ ମନମୋହନ ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ ସେ ହିଁ ଆଗାମୀ ସଭାପତି ହେବେ।
ଜନ୍ମ ନେଲେ ୧୧ ହଳଦିଆ ଆନାକୋଣ୍ଡା
ନନ୍ଦନକାନନ ପାଇଁ ଖୁସି ଖବର । ନନ୍ଦନକାନନରେ ନୂଆ ଅତିଥି । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସରୀସୃପ ଉଦ୍ୟାନ ମଧ୍ୟରେ ଜନ୍ମ ହେଲେ ୧୧ଟି ହଳଦିଆ ଆନାକୋଣ୍ଡା । ଏହି ୧୧ ଆନାକୋଣ୍ଡା ସହ ଏବେ ମୋଟ ହଳଦିଆ ଆନାକୋଣ୍ଡା ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରେ ୨ଟି ଅଣ୍ଡିରା, ୨ଟି ମାଈ ଓ ୩ଟି ମଧ୍ୟମ ବୟସ୍କ ଥିବାବେଳେ ଲିଙ୍ଗ ଚିହ୍ନଟ ହୋଇ ନଥିବା ୧୮ଟି ଆନାକୋଣ୍ଡା ଥିବା ନେଇ ନନ୍ଦନକାନନର ଉପନିର୍ଦ୍ଦେଶକ ସୂଚ଼ନା ଦେଇଛନ୍ତି ।
ବର୍ଷା ଆଉ ୩ ଦିନ, ୧୦ରୁ ପାଗ ଶୁଖିଲା
ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଲଘୁଚାପ କ୍ଷେତ୍ର ଆଜି ଦକ୍ଷିଣ-ପଶ୍ଚିମ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଅବସ୍ଥିତ। ଏହାସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୭.୬ କିମି ଉଚ୍ଚତା ସହ ଦକ୍ଷିଣ-ପଶ୍ଚିମ ଆଡ଼କୁ ବ୍ୟାପିଛି। ଏହା ଆସନ୍ତା ୨ ଦିନ ମଧ୍ୟରେ ଝାଡ଼ଖଣ୍ଡ ଓ ଉତ୍ତର ଛତିଶଗଡ଼ ଦେଇ ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ନୂଆପଡ଼ା, ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷିଥିବା ବେଳେ ଅବଶିଷ୍ଟ ଓଡ଼ିଶାରେ ମଧ୍ୟ ବର୍ଷା ହୋଇଛି।
ଫୁଲୁଛି ବୈତରଣୀ, ମହାନଦୀରେ ବନ୍ୟାପାଣି
ଉପରମୁଣ୍ଡରେ ବର୍ଷା ସମ୍ଭାବନା ଭିତରେ ହୀରାକୁଦରୁ ୨୦ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଅନ୍ୟପଟେ ବୈତରଣୀ ଓ ଦେଓ ନଦୀ ଫୁଲିବା ହେତୁ ଉତ୍ତର ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି । ଏସବୁ ଭିତରେ ସରକାର ସାଥୀରେ ଥିବା କହି ଆଶ୍ୱସ୍ତ କରିଛନ୍ତି ମନ୍ତ୍ରୀ । ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ଏବେ ଫୁଲୁଛି ରାଜ୍ୟର ବିଭିନ୍ନ ନଦୀ । ଉତ୍ତରରୁ ଉପକୂଳ, ଦୁର୍ଦ୍ଦଶା ବଢାଇଲାଣି ବନ୍ୟାଜଳ । ଏସବୁ ଭିତରେ ହୀରାକୁଦ ଜଳଭଣ୍ଡାରରୁ ୨୦ ଗେଟ୍ ଦେଇ ନିଷ୍କାସିତ ହେଉଛି ଜଳ । ପ୍ରତି ସେକେଣ୍ଡରେ ୩ ଲକ୍ଷ ୩୪ ହଜାର ୭୩୫ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି । ଏବେ ତଳମୁଣ୍ଡରେ ବନ୍ୟା ସ୍ଥିତି ନାହିଁ । କିନ୍ତୁ ଉପରମୁଣ୍ଡରେ ପୁଣି ବର୍ଷା ହେଲେ ହୀରାକୁଦ ଗେଟ୍ ଖୋଲିବ । ଯାହା ତଳମୁଣ୍ଡରେ ବନ୍ୟାସ୍ଥିତି ସୃଷ୍ଟି କରିପାରେ ।
ଡିସଚାର୍ଜ ହେଲେ ନବୀନ
କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରୁ ଡିସ୍ଚାର୍ଜ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସର୍ଭାଇକାଲ୍ ଆର୍ଥ୍ରରାଇଟ୍ସ ଅସ୍ତ୍ରୋପଚାର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ । ଡାକ୍ତରଙ୍କ ପରାମର୍ଶରେ ସେ ଆଉ କିଛି ଦିନ ମୁମ୍ବାଇରେ ରହିବେ ବୋଲି ସୂଚନା ଦେଇଛନ୍ତି ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ।
ଲାଞ୍ଚ ଅଭିଯୋଗରେ ଧରାପଡିଲେ ବିଡିଓ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ରେଢାଖୋଲ ବିଡିଓ ଡକ୍ଟର ଶୁଭ ପ୍ରକାଶ ସୋରେନ ଏବଂ ମହେଶ୍ୱର ସାହୁ । ଟୋଲଫ୍ରି ନମ୍ବର-୧୦୬୪ରେ ଅଭିଯୋଗକାରୀଙ୍କ ଆଧାରରେ ଜଣେ ହିତାଧିକାରୀଙ୍କ ବ୍ରଏଲର ଫାର୍ମ ସବସିଡି ପ୍ରଦାନ କରିବା ପାଇଁ ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦ୍ୱାରା ଉଭୟେ ଧରାପଡ଼ିଛନ୍ତି। ବର୍ତ୍ତମାନ ଡକ୍ଟର ସୋରେନଙ୍କ ଲିଙ୍କ ଥିବା ଦୁଇଟି ସ୍ଥାନରେ ଏକକାଳୀନ ତଲାସି କରାଯାଉଛି।